କେନ୍ଦ୍ରାପଡ଼ା: ମୃତ୍ୟୁ ସାର୍ଟିଫିକେଟ୍ ଜାରି କରିବା ପାଇଁ ଲାଞ୍ଚ ନେବା ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ପୂର୍ବତନ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ କୋର୍ଟ କଡ଼ା ଦଣ୍ଡ ଶୁଣାଇଛନ୍ତି। ପଟ୍ଟାମୁଣ୍ଡାଇ ଅଞ୍ଚଳର ପାଟକୁରା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UGPHC)ରେ ବହୁମୁଖୀ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଏବଂ ଭାଇଟାଲ ଷ୍ଟାଟିଷ୍ଟିକ୍ସ ବିଭାଗର ଦାୟିତ୍ୱରେ ଥିବା ରସବିହାରୀ ମହାନ୍ତିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡ ଦିଆଯାଇଛି।
କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟର ବିଚାରପତି ସୋମବାର ଏହି ରାୟ ଶୁଣାଇଛନ୍ତି। ମାମଲାର ବିଚାର ସମୟରେ ଭିଜିଲାନ୍ସ ପକ୍ଷରୁ ଉପସ୍ଥାପିତ ପ୍ରମାଣ ଓ ସାକ୍ଷ୍ୟ ଆଧାରରେ ରସବିହାରୀ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ସୂଚନା ଅନୁଯାୟୀ, ଜଣେ ମହିଳା ଅଭିଯୋଗକାରୀଙ୍କ ମୃତ ପିତାଙ୍କ ମୃତ୍ୟୁ ସାର୍ଟିଫିକେଟ୍ ଜାରି କରିବା ପାଇଁ ରସବିହାରୀ ମହାନ୍ତି ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ପାଇବା ପରେ ଓଡ଼ିଶା ଭିଜିଲାନ୍ସ ମାମଲାର ତଦନ୍ତ କରି ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ-୧୯୮୮ ଅନୁଯାୟୀ ଚାର୍ଜସିଟ୍ ଦାଖଲ କରିଥିଲା।
ରାୟ ପ୍ରକାଶ ପାଇବା ପରେ ଦୋଷୀ ରସବିହାରୀ ମହାନ୍ତିଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ଏହାସହ ତାଙ୍କ ପେନସନ୍ ସୁବିଧା ବନ୍ଦ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।
ସରକାରୀ କାର୍ଯ୍ୟରେ ଦୁର୍ନୀତି ବିରୋଧରେ ଏହି ରାୟକୁ ଏକ କଡ଼ା ବାର୍ତ୍ତା ଭାବେ ଦେଖାଯାଉଛି। ଲାଞ୍ଚ ନେଇ ସାଧାରଣ ଲୋକଙ୍କୁ ହଇରାଣ କରୁଥିବା କର୍ମଚାରୀଙ୍କ ବିରୋଧରେ ଆଇନ ତା’ର କାମ କରିବ ବୋଲି ଏହି ରାୟ ପୁଣିଥରେ ପ୍ରମାଣ କରିଛି।