ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ସୋମବାର (୨୯ ଜୁନ) ଦୁର୍ନୀତି ବିରୋଧୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛି। ଗୋଟିଏ ଦିନରେ ଚାରିଟି ପୃଥକ ମାମଲାରେ ଚାରି ଜଣ ପୂର୍ବତନ ସରକାରୀ କର୍ମଚାରୀଙ୍କ ସହ ଜଣେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ସମସ୍ତଙ୍କୁ କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶ ହୋଇଥିବାବେଳେ, ଭିଜିଲାନ୍ସ ସେମାନଙ୍କ ପେନସନ ବନ୍ଦ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିସ କରିବ ବୋଲି କହିଛି।
ପ୍ରଥମ ମାମଲାରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ପୂର୍ବତନ ବରିଷ୍ଠ କିରାଣୀ-କମ୍-କ୍ୟାସିଅର ଲୋଚନ ଜେନାଙ୍କୁ ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୦୬-୦୭ ମସିହାରେ ମନରେଗା ଅଧୀନରେ ଚାରିଟି ସଡ଼କ କାମରେ ଏକକ ମଷ୍ଟର ରୋଲ୍ ଦେଖାଇ ଦୁଇଥର ଅର୍ଥ ପ୍ରଦାନ କରି ସରକାରୀ ଅର୍ଥ ହଡପ କରିଥିବା ପ୍ରମାଣିତ ହୋଇଥିଲା। ଅଦାଲତ ତାଙ୍କୁ ୨ ବର୍ଷ ସରଳ କାରାଦଣ୍ଡ ଏବଂ ୩ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ଦ୍ୱିତୀୟ ମାମଲାରେ, ମୟୂରଭଞ୍ଜ ଲିଫ୍ଟ ଇରିଗେସନ ବିଭାଗର ପୂର୍ବତନ ଜୁନିୟର ଇଞ୍ଜିନିୟର ଗଙ୍ଗାଧର ମହାନ୍ତ ଆୟବହିର୍ଭୂତ ସମ୍ପତ୍ତି (ଡିଏ) ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବାରିପଦା ଭିଜିଲାନ୍ସ ସ୍ପେଶାଲ କୋର୍ଟ ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ସେହିପରି, ତୃତୀୟ ମାମଲାରେ ମୃତ୍ୟୁ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଇଥିବା ମାମଲାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ପଟକୁରା ଅର୍ବାନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (UGPHC)ର ପୂର୍ବତନ ମଲ୍ଟି ପର୍ପୋଜ୍ ହେଲ୍ଥ ସୁପରଭାଇଜର (ପୁରୁଷ) ତଥା ଭାଇଟାଲ ଷ୍ଟାଟିଷ୍ଟିକ୍ସ ବିଭାଗର ଇନ୍-ଚାର୍ଜ ରାସବିହାରୀ ମହାନ୍ତିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଚତୁର୍ଥ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ପୂର୍ବତନ ଏଏସଆଇ ପ୍ରଭାକର ପଣ୍ଡା ଓ ତାଙ୍କ ପତ୍ନୀ, ରାଉରକେଲା ଝିରପାଣି ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପାତ୍ରଙ୍କୁ ଆୟବହିର୍ଭୂତ ସମ୍ପତ୍ତି ମାମଲାରେ ସୁନ୍ଦରଗଡ଼ ଭିଜିଲାନ୍ସ ସ୍ପେଶାଲ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଏହାସହ ଉଭୟଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିରୁ ଆୟବହିର୍ଭୂତ ସମ୍ପତ୍ତି ଆଦାୟ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଏହି ୪ଟି ମାମଲା ସମେତ ସୋମବାର ଦିନ ଓଡ଼ିଶା ଭିଜିଲାନ୍ସ ମୋଟ ୪ଟି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରାଇବାରେ ସଫଳତା ପାଇଛି।