ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ନିଖୋଜ ହେବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କଡ଼ା ଭାଷାରେ ସମାଲୋଚନା କରିବା ସହ ତୁରନ୍ତ ନିଖୋଜ ଫାଇଲଗୁଡ଼ିକୁ ଠାବ କରି ସ୍ୱତନ୍ତ୍ର ତଦନ୍ତ କରିବାକୁ ଦାବି କରିଛନ୍ତି।
ଜୟନାରାୟଣ କହିଛନ୍ତି, ନିଖୋଜ ହୋଇଥିବା ଫାଇଲଗୁଡ଼ିକ ମିଳିଲେ ଅନେକ ସମ୍ବେଦନଶୀଳ ମାମଲାର ସତ୍ୟ ସାମ୍ନାକୁ ଆସିବ। ବିଶେଷ କରି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତରେ ଏହି ଫାଇଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ତାଙ୍କ ମତରେ, କେଉଁ ଅଧିକାରୀ କିମ୍ବା ବ୍ୟକ୍ତି କେବେ ଏହି ଫାଇଲ ଦେଖିଥିଲେ, ତାହାର ସମସ୍ତ ତଥ୍ୟ ରେଜିଷ୍ଟରରେ ରହିଥିବ। ସେହି ତଥ୍ୟକୁ ଆଧାର କରି ତଦନ୍ତ ପରିସରକୁ ବଢ଼ାଇବାକୁ ସେ ଦାବି କରିଛନ୍ତି।
ଜୟନାରାୟଣ ଆହୁରି କହିଛନ୍ତି ଯେ, କେବଳ ସ୍ୱାମୀ ଲକ୍ଷ୍ମଣାନନ୍ଦ ମାମଲା ନୁହେଁ, ବରଂ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଏବଂ ମାହାଙ୍ଗା ଡବଲ ମର୍ଡର ଭଳି ଚର୍ଚ୍ଚିତ ଘଟଣାର ମଧ୍ୟ ପୁନଃତଦନ୍ତ କରାଯିବା ଆବଶ୍ୟକ। ଏହାଦ୍ୱାରା ପୀଡ଼ିତ ପରିବାର ନ୍ୟାୟ ପାଇପାରିବେ ବୋଲି ସେ କହିଛନ୍ତି।
CMOରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ନିଖୋଜ ହେବା ଘଟଣାକୁ ନେଇ ସ୍ୱଚ୍ଛତା ଓ ଜବାବଦେହିତା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ଏହି ପ୍ରସଙ୍ଗରେ ବିରୋଧୀଙ୍କ ଚାପ ବଢ଼ୁଥିବା ବେଳେ ଆଗକୁ ସରକାର କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।