ଭୁବନେଶ୍ୱର: ରାଜପଥରେ ଦ୍ରୁତ ଗତିରେ ଦୌଡ଼ୁଥିବା ଏକ ଚକ୍ଚକ୍ ବିଳାସପୂର୍ଣ୍ଣ କାର୍କୁ ଦେଖି କେହି ବି ସନ୍ଦେହ କରିନଥାନ୍ତେ। ବାହାରୁ ସବୁକିଛି ସ୍ୱାଭାବିକ ଲାଗୁଥିଲା, କିନ୍ତୁ ଗାଡ଼ିର ଭିତରେ ଲୁଚି ରହିଥିଲା ଏକ ହାଇଟେକ୍ ଚୋରା ଚାଲାଣର ବ୍ଲୁପ୍ରିଣ୍ଟ। ପୋଲିସକୁ ଚକମା ଦେବା ପାଇଁ ଗାଡ଼ି ଭିତରେ ତିଆରି ହୋଇଥିଲା ଏକ 'ସିକ୍ରେଟ୍ ଚ୍ୟାମ୍ବର', ଯେଉଁଠି ଲୁଚାଇ ରଖାଯାଇଥିଲା ବିପୁଳ ପରିମାଣର ଗଞ୍ଜେଇ। ହେଲେ ମାଫିଆଙ୍କ ଏହି ଚାଲାକି ପୋଲିସ ଆଗରେ ଫେଲ୍ ମାରିଛି।
ଗୁପ୍ତ ସୂଚନାକୁ ଆଧାର କରି ପୋଲିସ ସନ୍ଦିଗ୍ଧ ଦାମୀ କାର୍କୁ ଅଟକାଇ ତଲାସି କରିଥିଲା। ପ୍ରଥମେ କିଛି ସନ୍ଦେହଜନକ ନ ମିଳିଥିଲେ ମଧ୍ୟ ଗାଡ଼ିର ଭିତର ଗଠନକୁ ଯାଞ୍ଚ କରିବା ବେଳେ ମିଳିଥିଲା ଗୋପନ କୋଠରୀର ସୁରାକ। ସେହି ଚ୍ୟାମ୍ବର ଖୋଲିବା ପରେ ଏକ ପରେ ଏକ ଗଞ୍ଜେଇ ପ୍ୟାକେଟ୍ ବାହାରିଥିଲା।
ତଦନ୍ତରୁ ଜଣାପଡ଼ିଛି, ଗଞ୍ଜେଇ ମାଫିଆମାନେ ଏବେ ଟ୍ରକ୍ କିମ୍ବା ପିକ୍ଅପ୍ ଭ୍ୟାନ୍ ବଦଳରେ ଦାମୀ କାର୍କୁ ବ୍ୟବହାର କରୁଛନ୍ତି, ଯାହାଦ୍ୱାରା ସାଧାରଣ ଯାଞ୍ଚରେ ସହଜରେ ସନ୍ଦେହ ସୃଷ୍ଟି ହୁଏନି। ଡାଶବୋର୍ଡ, ସିଟ୍ ତଳ ଓ ଅନ୍ୟାନ୍ୟ ଗୁପ୍ତ ସ୍ଥାନକୁ ପରିବର୍ତ୍ତନ କରି ଏଭଳି ଚ୍ୟାମ୍ବର ତିଆରି କରାଯାଉଛି, ଯେଉଁଠାରେ ନିଶାଦ୍ରବ୍ୟକୁ ସୁରକ୍ଷିତ ଭାବେ ଲୁଚାଇ ରଖାଯାଉଛି।
ସୂଚନା ଅନୁସାରେ, ଜବତ ହୋଇଥିବା ଗଞ୍ଜେଇ ଓଡ଼ିଶାର ସୀମାନ୍ତ ଅଞ୍ଚଳରୁ ସଂଗ୍ରହ କରାଯାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିଲା। ଘଟଣାସ୍ଥଳରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କୁ ପୋଲିସ ପଚରାଉଚରା ଜାରି ରଖିଛି। ଏହି ଆନ୍ତଃରାଜ୍ୟ ଚୋରା ଚାଲାଣ ରାକେଟ୍ର ମୁଖ୍ୟ କିଙ୍ଗପିନ୍ କିଏ, କେଉଁମାନେ ଏହି ନେଟୱର୍କ ସହ ଜଡ଼ିତ ଏବଂ ଆଉ କେତେ ଏପରି ଗାଡ଼ି ଚଳାଚଳ କରୁଛି, ସେନେଇ ପୋଲିସ ତନାଘନା ଚଳାଇଛି। ଏହି ଘଟଣା ପରେ ରାଜ୍ୟର ବିଭିନ୍ନ ସଡ଼କ ଓ ସୀମାନ୍ତ ରୁଟ୍ରେ ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯାଇଛି।