ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସରକାର ନୂତନ ବିଦ୍ୟୁତ ଚାଳିତ ଗାଡ଼ି ନୀତି ବା ଇଭି ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜୁଲାଇ ପହିଲାରୁ ଏହି ନୂତନ ନୀତି ଲାଗୁ ହେବାକୁ ଯାଉଛି । ଏଣିକି ଇଭି ଗାଡ଼ି କିଣିଲେ ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ରୋଡ୍ ଟ୍ୟାକ୍ସ ଛାଡ଼ କରାଯିବା ସହିତ ୩୦ ହଜାର ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସି଼ଡି ପ୍ରଦାନ କରାଯିବ । ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବାକୁ ଏବଂ ଇଭି ଗାଡ଼ି କିଣିବାକୁ ପ୍ରୋତ୍ସାହିତ କରିବାକୁ ସରକାର ଏହି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଚାରି ବର୍ଷ ମଧ୍ୟରେ ୧୫,୦୦୦ କୋଟି ଟଙ୍କା ନିବେଶ କରାଯିବ ।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆହୂତ କ୍ୟାବିନେଟ ବୈଠକରେ ଇଭି ନୀତି ୨୦୨୬ରେ ମୋହର ବାଜିଛି । ଏହି ନୀତି ଆଗାମୀ ୩୧ ମାର୍ଚ୍ଚ ୨୦୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂତନ ଇଭି ନୀତି ଅନୁଯାୟୀ, ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖରୁ ଦିଲ୍ଲୀରେ କେବଳ ବୈଦ୍ୟୁତିକ ଅଟୋ ପଞ୍ଜିକୃତ ହେବ ଏବଂ ୨୦୨୮ ଏପ୍ରିଲ ୧ ତାରିଖରୁ କେବଳ ବୈଦ୍ୟୁତିକ ଦୁଇ ଚକିଆ ଯାନ ପଞ୍ଜିକୃତ ହେବ। ଫଳସ୍ୱରୂପ, ଏହି ନୀତି କାର୍ଯ୍ୟକାରୀ ହେଲେ ଦିଲ୍ଲୀରେ ପେଟ୍ରୋଲ ଏବଂ ସିଏନଜି (କମ୍ପ୍ରେସ୍ଡ ନାଚୁରାଲ୍ ଗ୍ୟାସ୍) ଚାଳିତ ଅଟୋ-ରିକ୍ସା ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିପାରିବ । ଏହା ବ୍ୟତୀତ, ପେଟ୍ରୋଲ ଚାଳିତ ଦୁଇ ଚକିଆ ଯାନର ବିକ୍ରୟ ମଧ୍ୟ ବନ୍ଦ ଧିରେ ଧିରେ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ।
ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏହି ନୀତିରେ ସବସିଡି ବଣ୍ଟନର ସୁବିଧା ମଧ୍ୟ କରାଯାଇଛି । ଦୁଇ ଚକିଆ ଯାନ କ୍ରୟ ପାଇଁ ପ୍ରଥମ ବର୍ଷରେ ୩୦,୦୦୦ ଟଙ୍କା ଦ୍ୱିତୀୟ ବର୍ଷରେ ୨୦,୦୦୦ ଟଙ୍କା ଏବଂ ତୃତୀୟ ବର୍ଷରେ ୧୦,୦୦୦ ଟଙ୍କା ସବସିଡି ପ୍ରଦାନ କରାଯିବ । ସେହିପରି ଅଟୋ-ରିକ୍ସା କ୍ରୟ ପାଇଁ ପ୍ରଥମ ବର୍ଷରେ ୫୦,୦୦୦ ଟଙ୍କା, ଦ୍ୱିତୀୟ ବର୍ଷରେ ୪୦,୦୦୦ ଟଙ୍କା ଏବଂ ତୃତୀୟ ବର୍ଷରେ ୩୦,୦୦୦ ଟଙ୍କା ସବସିଡି ପ୍ରଦାନ କରାଯିବ। କିନ୍ତୁ ଇଭି ସବସିଡି ସହିତ କିଣାଯାଇଥିବା ଯାନଗୁଡ଼ିକ ଅନ୍ୟ ରାଜ୍ୟରେ ତିନି ବର୍ଷ ପାଇଁ ପଞ୍ଜୀକୃତ ହୋଇପାରିବ ନାହିଁ ।
ବିଭିନ୍ନ ବର୍ଗର ଯାନବାହାନ ପାଇଁ ସ୍କ୍ରାପ୍ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯିବ। ଏହି ନୀତି ଅନୁଯାୟୀ ସବୁଠାରୁ ବଡ଼ ଘୋଷଣା BS-IV ଯାନବାହାନ ଥିବା ଲୋକଙ୍କ ପାଇଁ ରହିଛି । ଏହି ନୀତି ଅନୁଯାୟୀ, ଯଦି BS-IV କାର୍ ମାଲିକମାନେ ସେମାନଙ୍କର ପୁରୁଣା ଯାନଗୁଡ଼ିକୁ ସ୍କ୍ରାପ୍ କରନ୍ତି, ତେବେ ସେମାନଙ୍କୁ ୧୦,୦୦୦ ରୁ ୧୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ସରକାରୀ ପ୍ରୋତ୍ସାହନ ମିଳିବ ।
ଏହା ବ୍ୟତୀତ, ଇଭି ଗାଡ଼ି କିଣୁଥିବା ଲୋକଙ୍କୁ ରାସ୍ତା ଟିକସ ଏବଂ ପଞ୍ଜୀକରଣ ଫି’ରେ ଶତ ପ୍ରତିଶତ ରିହାତି ମିଳିବ। ଅର୍ଥାତ୍ ଯଦି କେହି ଇଲେକ୍ଟ୍ରିକ୍ ଯାନ କିଣନ୍ତି, ତେବେ ତାଙ୍କୁ ରାସ୍ତା ଟିକସ ଏବଂ ପଞ୍ଜୀକରଣ ଫି’ ଦେବାକୁ ପଡ଼ିବ ନାହିଁ। ଇଲେକ୍ଟ୍ରିକ୍ ଚାରିଚକିଆ ଯାନ କ୍ରେତାମାନଙ୍କୁ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ୍ସ-ଶୋରୁମ୍ ମୂଲ୍ୟ ଥିବା ଯାନଗୁଡ଼ିକ ଉପରେ ଏହି ଲାଭ ମିଳିବ ।
ଖାଲି ସେତିକି ନୁହେଁ ଭାରୀ ଯାନବାହନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜ୍ଞପ୍ତି ଜାରି ହେବାର ୩ ମାସ ମଧ୍ୟରେ କ୍ରୟ କରାଯାଇଥିବା ପ୍ରଥମ ଏକ ହଜାର N2 ଇଲେକ୍ଟ୍ରିକ୍ ଟ୍ରକ୍ ନୋ-ଏଣ୍ଟ୍ରି ଅବଧିରୁ ୧୦ ବର୍ଷର ଛାଡ଼ ପାଇବେ।
ତେବେ ଇଭି ଗାଡ଼ି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ଚାର୍ଜିଂ ଷ୍ଟେସନ । ସେଥିପାଇଁ ସରକାର ଚାର୍ଜିଂ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ, ପ୍ରମୁଖ ରୁଟ୍ ସହିତ ଏହି ଭିତ୍ତିଭୂମି ପ୍ରତିଷ୍ଠା କରାଯିବ । ଚାର୍ଜିଂ ଭିତ୍ତିଭୂମିର ବ୍ୟକ୍ତିଗତ ବିକାଶକୁ ସକ୍ଷମ କରିବା ପାଇଁ DISCOM ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୩୦ ହଜାର ଚାର୍ଜିଂ ପଏଣ୍ଟ ନିର୍ମାଣ କରାଯିବ । ଏଥିପାଇଁ ଚାରି ବର୍ଷ ମଧ୍ୟରେ ୧୫,୦୦୦ କୋଟି ଟଙ୍କା ନିବେଶ କରାଯିବ । ସବସିଡ଼ି ପାଇଁ ୭୦୦୦ କୋଟି, ଚାର୍ଜିଂ ଷ୍ଟେସନ ପାଇଁ ୮୦୦୦ କୋଟି ଏବଂ ଟ୍ୟାକ୍ସ ଛାଡ଼ ପାଇଁ ବ୍ୟୟବରାଦ କରାଯାଇଛି ।