ଭଦ୍ରକ: ଏକ ତରଫା ପ୍ରେମ କରି ବିବାହିତ ପୁରୁଷ ଉନ୍ମତକାଣ୍ଡ ଘଟାଇଛନ୍ତି । ବିଚ ରାସ୍ତାରେ ସ୍ପଷ୍ଟ ଦିବାଲୋକରେ ଜଣେ ନାବାଳିକାକୁ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଉଦ୍ୟମ । ଏଭଳି ଅମାନବୀୟ କାଣ୍ଡ ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଫତେପୁର ଅଞ୍ଚଳରେ । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରୀ । ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ସେ ହେଲେ ସ୍ଥାନୀୟ ବନ୍ଧମୁଣ୍ଡ ଗାଁର ଦିଲ୍ଲୀପ ଜେନା ଓରଫ ରାଜୁ ।
ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ଅସୁରାଳି ଫତେପୁର ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ରାଜୁ ଏକ ତରଫା ପ୍ରେମ କରୁଥିଲା । ଆଜି ସେ ସ୍କୁଲ ଯାଉଥିବା ସମୟରେ ରାଜୁ ତାକୁ ଅଟକାଇ ଥିଲା। ପରେ ହଠାତ ସାଙ୍ଗରେ ଆଣିଥିବା ପେଟ୍ରୋଲ କାଢି ଛାତ୍ରୀଙ୍କ ଉପରେ ଢାଳି ଦେଇଥିଲା। ଦିଆସିଲି ବାହାର କରି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିନେଇଥିଲେ । ଏହା ପରେ ଭଲକରି ତାକୁ ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଧୂଷୁରୀ ପୋଲିସକୁ ଏ ନେଇ ଲୋକେ ଖବର ଦେଇଥିଲେ । ପୋଲିସ ପହଁଚି ଅଭିଯୁକ୍ତ ରାଜୁକୁ ଗିରଫ କରି ଥାନାକୁ ନେଇଛି । ଏହା ସହିତ ସମ୍ପୃକ୍ତ ନାବାଳିକା ମଧ୍ୟ ଥାନାକୁ ଯାଇଛନ୍ତି ।
ସେପେଟ ରାଜୁ ପୂର୍ବରୁ ତିନି ଜଣଙ୍କୁ ବିବାହ କରିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଏକ ତରଫା ପ୍ରେମରୁ ସେ ଏଭଳି କାଣ୍ଡ ଭିଆଇ ଥିବା ସନ୍ଦେହ କରାଯାଉଛି । ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।