ବାଲେଶ୍ୱର: ଡାକ୍ତରଙ୍କ ଆନ୍ଦୋଳନରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବାଧାପ୍ରାପ୍ତ ହୋଇଛି । ସରକାରଙ୍କ ଚେତାବନୀ ମଧ୍ୟ ଡାକ୍ତରଙ୍କ ନିଷ୍ପତ୍ତିକୁ ବଦଳାଇ ପାରିନାହିଁ । ସେପଟେ ବାଲେଶ୍ୱର ସମସ୍ତ ଆନ୍ଦୋଳନରତ ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ୧୨ ଘଣ୍ଟା ସମୟ ଦେଇଛନ୍ତି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ବାଲେଶ୍ୱର ସିଡିଏମଓ ସମସ୍ତ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କେହି କାର୍ଯ୍ୟରେ ଯୋଗ ନ ଦିଅନ୍ତି ତେବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ ମୁତାବକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ଚେତାବନୀ ଦେଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ସରକାରଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଓଏମଏଚଏସ କ୍ୟାଡରର ଡାକ୍ତରଙ୍କ ଦରମା ସ୍ଥଗିତ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛି । ଏହା ବ୍ୟତୀତ, ଯେଉଁ ମେଡିକାଲ୍ ଅଫିସରମାନେ ଚୁକ୍ତିଭିତ୍ତିକ ଭିତ୍ତିରେ ନିଯୁକ୍ତ ଅଛନ୍ତି ଏବଂ ଡ୍ୟୁଟିରେ ଅନୁପସ୍ଥିତ ରହି ଧର୍ମଘଟରେ ଅଂଶଗ୍ରହଣ କରିଛନ୍ତି, ସେମାନଙ୍କୁ ନୋଟିସ୍ ପ୍ରଦାନ ପରେ ଚାକିରିରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି । ଏ ନେଇ ସମସ୍ତ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ସିଡିଏମଓଙ୍କୁ ଚିଠି ଜାରି କରାଯାଇଛି ।