ଭୁବନେଶ୍ୱର: ରାଜ୍ୟରେ ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବାକୁ ଆରମ୍ଭ ହୋଇଥିବା ସରକାରଙ୍କ ‘ସୁପୋଷିତ ଓଡ଼ିଶା ମିଶନ’ରେ ଏନ୍ଏସ୍ଏସ୍ ଛାତ୍ରୀ ସାମିଲ ହେବେ । ଏହି ଛାତ୍ରୀମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ୦ ରୁ ୬ ବର୍ଷ ବୟସର ଶିଶୁଙ୍କ ଉଚ୍ଚତା ଓ ଓଜନ ମାପିବେ । ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ, ପ୍ରୋତ୍ସାହନ ରାଶି ଏବଂ ଗମନାଗମନ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବ । ଏହି ସର୍ଭେ କାର୍ଯ୍ୟ ଜୁଲାଇ ୨୦ରୁ ଆରମ୍ଭ ହେବ । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରସ୍ତାବ କ୍ରମେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସମ୍ପୃକ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।
ରାଜ୍ୟରେ ଶିଶୁ ପୁଷ୍ଟିହୀନତା ଦୂରୀକରଣ ଲକ୍ଷ୍ୟରେ ଚାଲିଥିବା ‘ସୁପୋଷିତ ଓଡ଼ିଶା ମିଶନ’କୁ ଆହୁରି ସୁଦୃଢ଼ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ବଡ଼ ପଦକ୍ଷେପ ନେଇଛି । ରାଜ୍ୟର ଚୟନିତ କଲେଜଗୁଡ଼ିକର ଏନ୍ଏସ୍ଏସ୍ ୟୁନିଟ୍ ମାଧ୍ୟମରେ ମହିଳା ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଉକ୍ତ ଛାତ୍ରୀମାନେ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ୦ ରୁ ୬ ବର୍ଷ ବୟସର ଶିଶୁଙ୍କ ଉଚ୍ଚତା ଓ ଓଜନ ମାପ କରିବେ ।
ସରକାରଙ୍କ ଲକ୍ଷ୍ୟ ହେଉଛି ୨୦୨୯ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ପୁଷ୍ଟିହୀନତାମୁକ୍ତ କରିବା। ଏହା ପାଇଁ ଶିଶୁମାନଙ୍କ ମଧ୍ୟରେ ଗୁରୁତର ପୁଷ୍ଟିହୀନତା (SAM), ମଧ୍ୟମ ପୁଷ୍ଟିହୀନତା (MAM) ଓ କମ୍ ଓଜନ ସମସ୍ୟାକୁ ଚିହ୍ନଟ କରି ଆବଶ୍ୟକ ହସ୍ତକ୍ଷେପ କରାଯିବ । ଏହି ଉଦ୍ଦେଶ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ନେତୃତ୍ୱରେ ନିୟମିତ ଭାବେ ଶିଶୁମାନଙ୍କ ଉଚ୍ଚତା ଓ ଓଜନ ମାପ କରାଯିବ।
ଏହି ସର୍ଭେ କାର୍ଯ୍ୟ ଜୁଲାଇ ୨୦ରୁ ଆରମ୍ଭ ହେବ। ଏଥିପାଇଁ କେବଳ ଯୁକ୍ତ ତିନି ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷ ଏବଂ ପିଜି ଦ୍ୱିତୀୟ ବର୍ଷର ମହିଳା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯିବ । ଦୁଇଜଣ ଛାତ୍ରୀଙ୍କୁ ଗୋଟିଏ ଦଳ କରାଯିବ । ସମସ୍ତେ ସ୍ମାର୍ଟଫୋନ୍ ସହ କାର୍ଯ୍ୟ କରିବେ । ସର୍ଭେ ପୂର୍ବରୁ ନିଯୁକ୍ତ ଛାତ୍ରୀଙ୍କୁ ଅନ୍ଲାଇନ୍ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରର ସଫଳ ସର୍ଭେ ପାଇଁ ପ୍ରତି ସ୍ୱେଚ୍ଛାସେବୀଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। ଏହା ସହ କଲେଜଗୁଡ଼ିକୁ ଯାତ୍ରା ବ୍ୟବସ୍ଥା ପାଇଁ ୫୦୦ ଟଙ୍କା, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସରଙ୍କୁ ୪,୦୦୦ ଟଙ୍କା ଏବଂ ଜିଲ୍ଲା ନୋଡାଲ ଅଫିସରଙ୍କୁ ୮,୦୦୦ ଟଙ୍କା ମନିଟରିଂ ଓ ସମନ୍ୱୟ ପାଇଁ ପ୍ରଦାନ କରାଯିବ।
ଉଚ୍ଚଶିକ୍ଷା ବିଭାଗ ସମସ୍ତ ସମ୍ପୃକ୍ତ କଲେଜକୁ ଜୁଲାଇ ୯ ସୁଦ୍ଧା ଆଗ୍ରହୀ ମହିଳା ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ତାଲିକା ମହିଳା ଓ ଶିଶୁ ବିକାଶ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ୭୪,୨୨୩ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ୩୦ ଲକ୍ଷରୁ ଅଧିକ ଶିଶୁଙ୍କ ପୁଷ୍ଟି ସ୍ଥିତିର ବୈଜ୍ଞାନିକ ମୂଲ୍ୟାଙ୍କନ କରାଯିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।