ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ବିବାଦ ପରେ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ନୂଆ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ମୁଦ୍ରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗୁରୁବାର ଭୁବନେଶ୍ୱରସ୍ଥିତ ଏସ୍ସିଇଆରଟି (SCERT) କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ, ବିଭାଗୀୟ ସଚିବ, ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (OSEPA)ର ନିର୍ଦ୍ଦେଶକଙ୍କ ସହ ଏସ୍ସିଇଆରଟିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବର୍ତ୍ତମାନର ପାଠ୍ୟପୁସ୍ତକରେ ଦେଖାଦେଇଥିବା ତଥ୍ୟଗତ, ଭାଷାଗତ ଏବଂ ବିଷୟବସ୍ତୁ ସମ୍ବନ୍ଧୀୟ ତ୍ରୁଟିକୁ ସୁଧାରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି।
ବିଭିନ୍ନ ଶ୍ରେଣୀର ପାଠ୍ୟପୁସ୍ତକକୁ ଯାଞ୍ଚ କରାଯିବା ସହ କେଉଁ କେଉଁ ସ୍ଥାନରେ ତ୍ରୁଟି ରହିଛି ଏବଂ ସେଗୁଡ଼ିକୁ କିପରି ସଂଶୋଧନ କରାଯିବ, ସେନେଇ ଅଧିକାରୀମାନେ ଆଲୋଚନା କରିଥିଲେ। ଏହାସହ ନୂଆ ପାଠ୍ୟକ୍ରମ, ପାଠ୍ୟପୁସ୍ତକ ସଂଶୋଧନ ଏବଂ ମୁଦ୍ରଣ ସମୟସୂଚୀ ସମ୍ପର୍କରେ ଏସ୍ସିଇଆରଟି ପକ୍ଷରୁ ବିସ୍ତୃତ ଉପସ୍ଥାପନା ଦିଆଯାଇଥିଲା।
ସମ୍ପ୍ରତି ସ୍କୁଲ ପାଠ୍ୟପୁସ୍ତକରେ ଅନେକ ତ୍ରୁଟି ଧରାପଡ଼ିବା ପରେ ଅଭିଭାବକ, ଶିକ୍ଷକ ଓ ବିଭିନ୍ନ ମହଳରୁ ସମାଲୋଚନା ହୋଇଥିଲା। ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ପୁସ୍ତକର ସମୀକ୍ଷା କରି ତ୍ରୁଟିପୂର୍ଣ୍ଣ ପ୍ରତିଗୁଡ଼ିକୁ ପ୍ରତ୍ୟାହାର କରିବା ଏବଂ ସଂଶୋଧିତ ପୁସ୍ତକ ଛପାଇବାକୁ ନିଷ୍ପତ୍ତି ନେଇଛି।
ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କହିଥିଲେ ଯେ, ପାଠ୍ୟପୁସ୍ତକରେ ଏତେ ସଂଖ୍ୟକ ତ୍ରୁଟି ଥିବା ପଛରେ ବଡ଼ ଷଡ଼ଯନ୍ତ୍ର ଥାଇପାରେ ବୋଲି ସରକାର ସନ୍ଦେହ କରୁଛନ୍ତି। ସେଥିପାଇଁ ତ୍ରୁଟିପୂର୍ଣ୍ଣ ପୁସ୍ତକକୁ ଫେରାଇ ନୂଆ ଓ ସଂଶୋଧିତ ପାଠ୍ୟପୁସ୍ତକ ଶୀଘ୍ର ଛାତ୍ରଛାତ୍ରୀଙ୍କ ହାତରେ ପହଞ୍ଚାଇବାକୁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।