ମୟୁରଭଞ୍ଜ: ମୋବାଇଲ୍ ବ୍ୟବହାରକୁ ନେଇ ପରିବାରର ତାଗିଦ ଶେଷରେ ନେଇଗଲା ଜଣେ ନାବାଳିକାଙ୍କ ଜୀବନ। ମୟୁରଭଞ୍ଜ ଜିଲ୍ଲାର ରାଜ ବରହମପୁର ଥାନା ଅନ୍ତର୍ଗତ ଗଗପାଳ ଗ୍ରାମରେ ଘଟିଥିବା ଏହି ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ପରିବାର ଲୋକ ମୋବାଇଲ୍ ଛଡ଼ାଇ ଭାଙ୍ଗିଦେବା ପରେ ଅଭିମାନରେ ବିଷ ପିଇ ୧୫ ବର୍ଷୀୟା ରୁନୁ ନାଏକଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ରୁନୁ ସକାଳେ ଘରେ ବସି ମୋବାଇଲ୍ ବ୍ୟବହାର କରୁଥିଲେ। ସେ ବାରମ୍ବାର ମୋବାଇଲ୍ରେ ସମୟ ବିତାଉଥିବାରୁ ପରିବାର ଲୋକ ପୂର୍ବରୁ ମଧ୍ୟ ତାଙ୍କୁ ବାରଣ କରୁଥିଲେ। ଏହି ସମୟରେ ତାଙ୍କ ମା' ଓ ମାମୁଁ ମୋବାଇଲ୍ଟି ଛଡ଼ାଇ ନେଇଥିଲେ। ଅଭିଯୋଗ ଅନୁସାରେ, ପରେ ମୋବାଇଲ୍ଟି ଭାଙ୍ଗି ଦିଆଯାଇଥିଲା।
ଏଥିରେ ରାଗି ରୁନୁ ବିଷ ପିଇଦେବେ ବୋଲି କହି ଘର ଭିତରକୁ ଯାଇ କବାଟ ବନ୍ଦ କରିଦେଇଥିଲେ। କିଛି ସମୟ ପରେ ଘରେ ଥିବା କୀଟନାଶକ ପିଇଦେଇଥିଲେ। ପରିବାର ଲୋକ ଘଟଣା ଜାଣି କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରି ତୁରନ୍ତ ଉଦଳା ମେଡିକାଲକୁ ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ରୁନୁଙ୍କ ମୃତ୍ୟୁ ହୋଇଥିଲା।
ଘଟଣାର ଖବର ପାଇ ରାଜ ବରହମପୁର ପୁଲିସ୍ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ମୋବାଇଲ୍କୁ କେନ୍ଦ୍ର କରି ଘଟଣା ଘଟିଥିବା ସୂଚନା ମିଳୁଥିବାବେଳେ, ପୁଲିସ୍ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।