କୋରାପୁଟ ଜିଲ୍ଲା ଜୟପୁରର ବହୁଚର୍ଚ୍ଚିତ ଠକେଇ ମାମଲାରେ ପୀଡ଼ିତମାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଲୋକଙ୍କୁ ଶସ୍ତାରେ ଋଣ ଓ ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରଲୋଭନ ଦେଖାଇ ଠକେଇ କରିଥିବା ଘଟଣାରେ ପୋଲିସ ଜବତ କରିଥିବା ସୁନା ଗହଣା ମଧ୍ୟରୁ ୪ ଜଣ ଅଭିଯୋଗକାରୀଙ୍କୁ ସେମାନଙ୍କ ଗହଣା ଫେରସ୍ତ କରିଛି। ଏନେଇ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ ମେ ମାସରେ ଜୟପୁର ନୂଆସାହିର ବାସିନ୍ଦା ଲକ୍ଷ୍ମୀକାନ୍ତ ପଣ୍ଡା ଅନେକ ଲୋକଙ୍କୁ କମ୍ ସୁଧରେ ଋଣ ଏବଂ ବିଭିନ୍ନ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ନଗଦ ଟଙ୍କା ଓ ସୁନା ଗହଣା ସଂଗ୍ରହ କରିଥିଲେ। ପରେ ସେ ଫେରାର ହୋଇଯିବାରୁ ପୀଡ଼ିତମାନେ ଜୟପୁର ଟାଉନ ଥାନାରେ ଅଭିଯୋଗ ଦାଖଲ କରିଥିଲେ।
ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସାଇବର ସେଲ ଓ ଗୁଇନ୍ଦା ସୂଚନାର ସହଯୋଗରେ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କୁ ରାଉରକେଲାରୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ପ୍ରାୟ ୨୦ ଲକ୍ଷ ଟଙ୍କା ମୂଲ୍ୟର ନଗଦ ଅର୍ଥ, ସୁନା ଓ ରୂପା ଗହଣା, ଏକ ବାଇକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା।
ପୋଲିସ ପକ୍ଷରୁ ସମସ୍ତ ଜବତ ସାମଗ୍ରୀର ଯାଞ୍ଚ କରାଯିବା ପରେ ଆଇନଗତ ପ୍ରକ୍ରିୟା ମାଧ୍ୟମରେ ୪ ଜଣ ଅଭିଯୋଗକାରୀଙ୍କୁ ସେମାନଙ୍କର ସୁନା ଗହଣା ଫେରାଇ ଦିଆଯାଇଛି। ଦୀର୍ଘଦିନ ପରେ ନିଜର ହଜିଯାଇଥିବା ଗହଣା ଫେରି ପାଇ ପୀଡ଼ିତମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।
ପୋଲିସ କହିଛି, ଏହି ମାମଲାର ତଦନ୍ତ ଏବେ ମଧ୍ୟ ଜାରି ରହିଛି। ଅଭିଯୁକ୍ତଙ୍କ ଠକେଇ ଜାଲରେ ଆଉ କେତେ ଲୋକ ଶିକାର ହୋଇଛନ୍ତି ତାହାର ମଧ୍ୟ ଖୋଳତାଡ଼ କରାଯାଉଛି। ସେହିସହ ଲୋକମାନଙ୍କୁ ଶସ୍ତାରେ ଋଣ କିମ୍ବା ଆକର୍ଷଣୀୟ ଆର୍ଥିକ ଅଫରର ପ୍ରଲୋଭନରେ ପଡ଼ି କୌଣସି ବ୍ୟକ୍ତିଙ୍କୁ ଟଙ୍କା କିମ୍ବା ମୂଲ୍ୟବାନ ସାମଗ୍ରୀ ନଦେବାକୁ ପୋଲିସ ସତର୍କ କରିଛି।