କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରସ୍ତାବିତ ଓଡ଼ିଶା ଗସ୍ତ ବାତିଲ ହୋଇଛି। ଜୁଲାଇ ୩ରୁ ୫ ତାରିଖ ମଧ୍ୟରେ ତାଙ୍କର ଓଡ଼ିଶା ଆସିବା କାର୍ଯ୍ୟକ୍ରମ ଥିଲା। ତେବେ ବର୍ତ୍ତମାନ ଏହି ଗସ୍ତକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।
ଏନେଇ ବିଜେପିର ରାଜ୍ୟ ସଭାପତି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ଅମିତ ଶାହଙ୍କ ବରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତେବେ ଏହି ଗସ୍ତ ପରବର୍ତ୍ତୀ ସମୟରେ ପୁଣି ଆୟୋଜନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଆସନ୍ତା ଜୁଲାଇ ୪ ତାରିଖରେ ଅମିତ ଶାହ ବରଗଡ଼ରେ ପହଞ୍ଚି ଏକ ବୃହତ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ସେହିପରି ସମ୍ବଲପୁରରେ ମଧ୍ୟ ଆଉ ଏକ ଜନସଭାରେ ଯୋଗଦେବା ସହ ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମରେ ସାମିଲ ହେବାର ଯୋଜନା ରହିଥିଲା।
ଏହାଛଡ଼ା ବରଗଡ଼ରେ ଇଥାନଲ ପ୍ରକଳ୍ପ ସମେତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ମଧ୍ୟ ଥିଲା। ଗସ୍ତକୁ ନେଇ ବିଜେପି କର୍ମୀମାନେ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ, ହଠାତ୍ ଗସ୍ତ ବାତିଲ ହେବାରୁ ସେହି କାର୍ଯ୍ୟକ୍ରମଗୁଡ଼ିକ ସ୍ଥଗିତ ହୋଇଛି।
ତେବେ ଗସ୍ତ ବାତିଲର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ଆସିନାହିଁ। ବିଜେପି ପକ୍ଷରୁ କୁହାଯାଇଛି ଯେ, ଅମିତ ଶାହଙ୍କ ଓଡ଼ିଶା ଗସ୍ତ ପାଇଁ ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ।