ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରକୁ ଏବେ ଏଚଆଇଭି ସଂକ୍ରମଣ ଭୟ । ଜେଲରେ ଥିବା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କୁ ଏବେ କିଭଳି ରଖାଯିବ ତାହା ଜେଲ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
ଏଚଆଇଭି ପଜିଟିଭ୍ ଚିହ୍ନଟ ୮ ଜଣ ଅନ୍ତେବାସୀଙ୍କ ମଧ୍ୟରୁ କିଛି ବିଚାରଧୀନ କଏଦୀ ରହିଛନ୍ତି । ଆଉ ଅନ୍ୟ କିଛି ସଜା କାଟୁଥିବା କଏଦୀ ରହିଛନ୍ତି । ସଂକ୍ରମିତ ଅନ୍ତେବାସୀଙ୍କ ମଧ୍ୟରେ କିଛି ପୂର୍ବରୁ ସଂକ୍ରମିତ ହୋଇଥିବାବେଳେ ଅନ୍ୟ ୨ ରୁ ୩ ଜଣ ଜେଲ ଭିତରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଝାରପଡ଼ା ଜେଲକୁ ଆସିଥିଲେ । ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ ଆକ୍ରାନ୍ତ ହୋଇଥିଲେ । କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟ ଚାଲାଣ ହୋଇଥିଲେ । ସେତେବେଳେ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ତାଙ୍କ ରକ୍ତ ନମୂନାରୁ ଏଚଆଇଭି ଭୂତାଣୁ ମିଳିଥିବାର ମହିଳା ଥାନା ପୋଲିସ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ, ଡିସିପି ଏବଂ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଥିଲେ । ସେହିପରି ଅନ୍ୟ କିଛି କଏଦୀ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ବେଳେ ଏଡସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା ।
ଏଡସ୍ ଆକ୍ରାନ୍ତ କଏଦୀଙ୍କୁ ଜେଲ କର୍ତ୍ତୃପକ୍ଷ କେଉଁଠି ରଖିବେ ତାହା ଚିନ୍ତାର ବିଷୟ । ସେମାନଙ୍କ ଜେଲ ଭିତରେ ଅଲଗା କରି ରଖାଯିବ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା କରାଯିବ ତାହା ବିଚାର କରାଯାଉଛି । ଏ ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।