ନୂଆଦିଲ୍ଲୀ: ମେସେଜିଂ ଆପ୍ ହ୍ୱାଟ୍ସଆପ ‘ୟୁଜରନେମ’ ସୁବିଧାକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ‘ମେଟା’ କମ୍ପାନୀ ସ୍ପଷ୍ଟୀକରଣ ଦେଇଛି । ଉପଭୋକ୍ତାଙ୍କ ସୁରକ୍ଷା ପାଇଁ ‘ୟୁଜରନେମ’ ବିକଳ୍ପକୁ ଅଣାଯାଇଛି । ଏଥିରେ ଉପଭୋକ୍ତାଙ୍କ ମୋବାଇଲ୍ ନମ୍ବର ଏବଂ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ସମ୍ପୂର୍ଣ୍ଣ ପ୍ରସାୟ କରାଯାଇଛି । ଏହି ସୁବିଧା ବା ବିକଳ୍ପ ଉପଭୋକ୍ତାଙ୍କ ବିନା ଅନୁମତିରେ ଲାଗୁ ହୋଇପାରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କେନ୍ଦ୍ର ସରକାରଙ୍କ ତାଗିଦ ପରେ ଗୁରୁବାର ଦିନ ‘ୱାଟ୍ସଆପ୍’ ପକ୍ଷରୁ ‘ୟୁଜରନେମ’ର ସୁରକ୍ଷାକୁ ନେଇ ବିସ୍ତୃତ ସୂଚନା ଜାରି କରାଯାଇଛି । କମ୍ପାନୀ କହିଛି, ‘ୟୁଜରନେମ’ ବିକଳ୍ପ ଉପଭୋକ୍ତାଙ୍କ ଉପରେ ନିର୍ଭର କରେ । ଜଣେ ଚାହିଁଲେ ଏହାକୁ ନିଜ ଆକାଉଣ୍ଟରେ ଲାଗୁ କରିପାରିବେ । ଉପଭୋକ୍ତାଙ୍କ ବିନା ଅନୁମତିରେ ଏହି ବିକଳ୍ପ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଏଥିରେ ସମସ୍ତଙ୍କ ଗୋପନୀୟତାକୁ ଧ୍ୟାନରେ ରଖାଯାଇଛି । ଏଥିରେ ବ୍ୟକ୍ତିଗତ ଗୋପନୀୟତା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।
କମ୍ପାନୀ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ ଇନଷ୍ଟାଗ୍ରାମ କିମ୍ବା ଫେସବୁକ୍ ‘ୟୁଜରନେମ’କୁ ସୁରକ୍ଷିତ ରଖାଯାଇଛି । କେବଳ ସେହି ଆକାଉଣ୍ଟର ମାଲିକମାନେ ବ୍ୟବହାର କରିପାରିବେ । ଯେପରିକି ଜନପ୍ରତିନିଧି, ସେଲିବ୍ରିଟି, ସରକାରୀ ସଂସ୍ଥା କିମ୍ବା ଅଧିକାରୀ ଏବଂ ମେଟା-ଯାଞ୍ଚ ହୋଇଥିବା ଆକାଉଣ୍ଟ୍ ସଂରକ୍ଷିତ ହୋଇ ରହିଛି । ଯଦି ଆପଣ ସେହି ନାମରେ ଆଉ ଗୋଟିଏ ଆକାଉଣ୍ଟ ଖୋଲିବାକୁ ଚାହିଁବେ ତେବେ ଏହା ଉପଲବ୍ଧ ହେବ ନାହିଁ । ଯଦି କେହି ସମାନ ନାମ ବ୍ୟବହାର କରୁଛନ୍ତି ତେବେ ସେମାନଙ୍କ ‘ୟୁଜରନେମ’ ଆଇଡି ଭିନ୍ନ ରହିବ ।
କମ୍ପାନୀ ଆହୁରି କହିଛି ଯେମିତି ହ୍ୱାଟସଆପରେ ମୋବାଇଲ ନମ୍ବରକୁ କେହି ସନ୍ଧାନ କରି ପାଇପାରନ୍ତି ସେହିପରି ସମାନ ନିୟମ ‘ୟୁଜରନେମ’ରେ ଲାଗୁ ହୋଇଛି, ଏହାକୁ କେହି ସର୍ଚ୍ଚ କରି ପାଇପାରିବେ ନାହିଁ । ତେଣୁ କେହି ଅଜଣା ବ୍ୟକ୍ତି ଆପଣଙ୍କୁ ମେଜେସ୍ କରିପାରିବେ ନାହିଁ । କାରଣ ‘ୟୁଜରନେମ’ ବିକଳ୍ପରେ କେହି କୌଣସି ତଥ୍ୟ ନେଇପାରିବେ ନାହିଁ । ପ୍ରଥମ ମେସେଜରେ ମେସେଜ ଆସିବ, ସେଥିରେ ବ୍ଲକ୍ କିମ୍ବା ରିପୋର୍ଟ କରିବା ବିକଳ୍ପ ରହିବ । ଜଣେ ଚାହିଁଲେ ସାମ୍ନାବାଲାର ଆକାଉଣ୍ଟ ବ୍ଲକ୍ କିମ୍ବା ରିପୋର୍ଟ କରିପାରିବେ ।
ତତସହିତ କମ୍ପାନୀ ‘ୟୁଜରନେମ କି’ ନାମରେ ଆଉ ଏକ ବିକଳ୍ପ ଉପରେ ଧ୍ୟାନ ରଖିଛି । କୌଣସି ଯୋଗାଯୋଗ କରିବାକୁ ହେଲେ ଏହାକୁ ବ୍ୟବହାର କରିହେବ । ଏହା ସହିତ ଯଦି ଜଣେ ଅସୁରକ୍ଷିତ ଅନୁଭବ ତେବେ ସେ ଚାହିଁଲେ ନିଜ ‘ୟୁଜରନେମ’ର ବନାନକୁ ବଦଳାଇ ପାରିବେ । ତେବେ ମେଟା ପକ୍ଷରୁ ଦିଆଯାଇଥିବା ଏହି ସ୍ପଷ୍ଟୀକରଣ କେନ୍ଦ୍ର ସରକାରଙ୍କ ଦ୍ୱାରା କେତେ ଦୂର ଗ୍ରହଣୀୟ ହେବ ତାହା ବଡ଼ ପ୍ରଶ୍ନ ।