ଭୁବନେଶ୍ୱର: ରାଜ୍ୟରେ କିଶୋର-କିଶୋରୀଙ୍କ ପୁଷ୍ଟିସାଧନ ଓ ସ୍କୁଲରେ ଉପସ୍ଥାନ ବୃଦ୍ଧି ପାଇଁ ଓଡ଼ିଶା ସରକାର ନେଇଛନ୍ତି ଏକ ଐତିହାସିକ ନିଷ୍ପତ୍ତି। ଏଣିକି କେବଳ ପ୍ରାଥମିକ ନୁହେଁ, ମାଧ୍ୟମିକ ସ୍ତରରେ ପଢ଼ୁଥିବା ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମଧ୍ୟ ସ୍କୁଲରେ ପାଇବେ ମାଗଣା ଗରମ ଓ ପୁଷ୍ଟିକର ମଧ୍ୟାହ୍ନ ଭୋଜନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ 'ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା'ର ସମ୍ପ୍ରସାରଣକୁ ସବୁଜ ସଙ୍କେତ ମିଳିଛି।
ଏହି ନିଷ୍ପତ୍ତି ସହ ଆସନ୍ତା ଚାରି ବର୍ଷ ପାଇଁ ୩,୫୦୬.୯୯ କୋଟି ଟଙ୍କାର ବ୍ୟୟକୁ କ୍ୟାବିନେଟ୍ ଅନୁମୋଦନ କରିଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରାୟ ୪୬.୬ ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାର ସିଧାସଳଖ ସୁଫଳ ପାଇବେ। ୨୦୨୫ ଏପ୍ରିଲ୍ ୧ରେ ଆରମ୍ଭ ହୋଇଥିବା ଏହି ଫ୍ଲାଗସିପ୍ ଯୋଜନା ୨୦୩୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଚାଲିବ ଏବଂ ଏହା ପାଇଁ ମୋଟ ୪,୨୨୪.୪୬ କୋଟି ଟଙ୍କା ବ୍ୟୟର ଲକ୍ଷ୍ୟ ରଖାଯାଇଛି।
କେବଳ ୨୦୨୫-୨୬ ଆର୍ଥିକ ବର୍ଷରେ ୮,୯୬୨ଟି ବିଦ୍ୟାଳୟର ୧୧.୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବା ପାଇଁ ୬୬୫.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା, ଯାହାକୁ କ୍ୟାବିନେଟ୍ ପିଛିଲା ଭାବେ ମଞ୍ଜୁରୀ ଦେଇଛି।
ଏପର୍ଯ୍ୟନ୍ତ 'ପିଏମ୍ ପୋଷଣ' ଯୋଜନାରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ମିଳୁଥିଲା। ଫଳରେ ହାଇସ୍କୁଲକୁ ଯାଇଥିବା ଅନେକ ଆର୍ଥିକ ଦୁର୍ବଳ ପରିବାରର ପିଲା ପୁଷ୍ଟିକର ଖାଦ୍ୟର ଅଭାବ ଓ ପାରିବାରିକ ସମସ୍ୟା ଯୋଗୁଁ ପାଠପଢ଼ା ଅଧାରୁ ଛାଡ଼ି ଦେଉଥିଲେ। ସରକାରଙ୍କ ବିଶ୍ୱାସ, ଏହି ନୂଆ ପଦକ୍ଷେପ କିଶୋରବୟସ୍କଙ୍କ ପୁଷ୍ଟିହୀନତା ଦୂର କରିବା ସହ ସ୍କୁଲରେ ଉପସ୍ଥାନ ବଢ଼ାଇବ, ଡ୍ରପ୍-ଆଉଟ୍ ହାର କମାଇବ ଏବଂ ଶିକ୍ଷାର ମାନକୁ ଆହୁରି ସୁଦୃଢ଼ କରିବ। ପୁଷ୍ଟିକର ଖାଦ୍ୟ ସହ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଦିଗରେ ଏହାକୁ ରାଜ୍ୟ ସରକାରଙ୍କ ଏକ ବଡ଼ ଓ ଦୂରଦର୍ଶୀ ପଦକ୍ଷେପ ବୋଲି କୁହାଯାଉଛି।