ଭୁବନେଶ୍ୱର: ସରିଲା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୁଧବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷା କ୍ଷେତ୍ରକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ କୌଣସି ଛାତ୍ରଛାତ୍ରୀ କେବଳ ଆର୍ଥିକ ସମସ୍ୟା କାରଣରୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ। ଏହି ଲକ୍ଷ୍ୟକୁ ସାମ୍ନାରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛି।
ନୂଆ ନିଷ୍ପତ୍ତି ଅନୁଯାୟୀ, ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର ଦେୟ ଦେବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ଦୁର୍ବଳ ଓ ଆର୍ଥିକ ଭାବେ ପଛୁଆ ପରିବାରର ଶିକ୍ଷାର୍ଥୀମାନେ ସିଧାସଳଖ ଉପକୃତ ହେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ସେହିପରି, ସ୍କୁଲ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ ମଧ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଶିକ୍ଷାକୁ ସମସ୍ତଙ୍କ ପାଇଁ ସୁଲଭ ଓ ସମାନ ସୁଯୋଗଯୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜଣେ ବି ଛାତ୍ରଛାତ୍ରୀ ଆର୍ଥିକ ଅଭାବ ପାଇଁ ଶିକ୍ଷାରୁ ବଞ୍ଚିତ ହେବେନି।" ଏହି ନିଷ୍ପତ୍ତି ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସମାବେଶୀ ଓ ସୁଦୃଢ଼ କରିବା ସହିତ ଉଚ୍ଚଶିକ୍ଷାରେ ଅଧିକ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ବଢ଼ାଇବ ବୋଲି ଆଶା କରାଯାଉଛି।ଏହାଛଡ଼ା କ୍ୟାବିନେଟ୍ ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ବେଳେ, ଶିକ୍ଷା କ୍ଷେତ୍ର ସମ୍ବନ୍ଧୀୟ ଏହି ନିଷ୍ପତ୍ତିକୁ ରାଜ୍ୟ ସରକାରଙ୍କ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।