ଭୁବନେଶ୍ୱର: ଓଡ଼ିଶାରେ ଆଲୁମିନିୟମ ଶିଳ୍ପର ବ୍ୟାପକ ବୃଦ୍ଧି ପାଇଁ ରାଜ୍ୟ ସରକାର ୧ ଲକ୍ଷ ୧ ହଜାର କୋଟି ଟଙ୍କାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝୀଙ୍କ ଉପସ୍ଥିତିରେ ୟୁଏଇର ଆବୁଧାବୀସ୍ଥିତ ସବୁଠାରୁ ବଡ଼ ଶିଳ୍ପ କମ୍ପାନୀ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ଼ ଅନ୍ତରାଷ୍ଟ୍ରୀୟ ହୋଲଡିଂ କମ୍ପାନୀ ଓ ଇପିକଲ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଆଜି ଲୋକସେଭା ଭବନ କନଭେନସନ୍ ସେଣ୍ଟରରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । କମ୍ପାନୀ ଆଗାମୀ ଦିନରେ ଓଡ଼ିଶାରେ ୧ ଲକ୍ଷ ୧ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବ । ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ଏହା ପୁଞ୍ଜି ନିବେଶ ହେବ । ଏହା ଦ୍ୱାରା ନିଯୁକ୍ତି କ୍ଷେତ୍ରରେ ବଡ଼ ସହଯୋଗ ମିଳିବ । ରାଜ୍ୟରେ ୫୩ ହଜାର ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆୟୋଜିତ କାର୍ୟ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡର କରଣ ଆଦାନୀ ପ୍ରମୁଖ ଉପସ୍ଥିତ ଥିଲେ ।
ଚୁକ୍ତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ପ୍ରଦାନ କରି କହିଛନ୍ତି ଯେ ରାଜ୍ୟରେ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଏମଓୟୁ ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବ୍ୟବସାୟର ସବୁଠାରୁ ବଡ଼ ପ୍ରବେଶ ପଥ । ରାଜ୍ୟ ଇତିହାସରେ ଏହା ବୃହତ ପୁଞ୍ଜି ନିବେଶ ହେବ । ପ୍ରକଳ୍ପ ଆରମ୍ଭରେ ଏଥିରେ ୩୫ ହଜାର ଲୋକେ କାମ କରିବେ, ପ୍ରକଳ୍ପ କାର୍ୟ୍ୟକାରୀ ହୋଇ ଉତ୍ପାଦନ ହେଲେ ଏଥିରେ ଆହୁରି ୧୮ ହଜାର ନିଯୁକ୍ତି ସୁଷ୍ଟି ହେବ । ଏଥିରେ ବକ୍ସସାଇଟ୍ ଖଣି, ଆଲୁମିନିୟମ ରିଫାଇନାରୀ, ଆଲୁମିନିୟମ ମେଲ୍ଟିଂ ଏବଂ ବିଦ୍ୟୁତ ଉତ୍ପାଦନ ହୋଇପାରିବ । ଏହା ଦ୍ୱାରା ରାଜ୍ୟର ଛୋଟ ଛୋଟ ଶିଳ୍ପ, ଯନ୍ତ୍ରାଂଶ ନିର୍ମାତା ଏବଂ ପରିବହନ ବ୍ୟବସାୟୀ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଲାଭାନ୍ୱିତ ହେବେ ।
ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ଯେ ରାଜ୍ୟ ସରକାର ଏବଂ ଆଇଏଚସି ମିଶି ଗବେଷଣା, ସେଣ୍ଟର ଅଫ୍ ଏକ୍ସିଲେନି ନିର୍ମାଣ ପାଇଁ କାମ କରିପାରିବେ । ରାଜ୍ୟର ଯୁବପୀଢ଼ି କିଭଳି ରାଜ୍ୟ ବାହାରକୁ ନ ଯାଇ ରାଜ୍ୟ ଭିତରେ ରହି ଦକ୍ଷ ଓ ରୋଜଗାରକ୍ଷମ ହୋଇପାରିଲେ, ୨୦୩୬ ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ସାକାର ହୋଇପାରିବ ।