ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଗୁରୁବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଉପକୂଳ ନିକଟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନଠାରୁ ପ୍ରାୟ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପି ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଲଘୁଚାପ ଆହୁରି ସକ୍ରିୟ ହୋଇ ସୁଦୃଢ଼ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବୁଧବାରଠାରୁ ସକ୍ରିୟ ଥିବା ଘୂର୍ଣ୍ଣିବଳୟର ପ୍ରଭାବରେ ଗୁରୁବାର ସକାଳ ୮ଟା ୩୦ ମିନିଟ୍ ସମୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ଅଧିକ ସକ୍ରିୟ ହେବା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇପାରେ।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୪୮ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ 'ରେଡ୍ ଆଲର୍ଟ' ଜାରି କରାଯାଇଛି। ଏହି ଦୁଇ ଜିଲ୍ଲାରେ ଅତ୍ୟଧିକ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ମଧ୍ୟ ଏହି ଦୁଇ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ବଳବତ୍ତର ରହିବ।
ଏହାବ୍ୟତୀତ ରାଜ୍ୟର ୯ଟି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ୧୭ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ପରବର୍ତ୍ତୀ ଦିନରେ ମଧ୍ୟ ଅନେକ ଜିଲ୍ଲାରେ ଭାରୀ ବର୍ଷାର ସମ୍ଭାବନା ଥିବାରୁ ସତର୍କତା ଜାରି ରହିଛି।
ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ସହରାଞ୍ଚଳରେ ପାଣି ଜମିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନର ଆଶଙ୍କା ରହିଛି। ତେଣୁ ଲୋକମାନଙ୍କୁ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ବାହାରିବା, ନଦୀ ଓ ନାଳ ନିକଟକୁ ନ ଯିବା ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି।
ଗତ ୨୪ ଘଣ୍ଟା ଧରି ରାଜ୍ୟର ଅନେକ ସ୍ଥାନରେ ଭଲ ବର୍ଷା ହୋଇଥିବା ବେଳେ, ଲଘୁଚାପର ପ୍ରଭାବରେ ଆଗାମୀ କିଛି ଦିନ ପାଇଁ ବର୍ଷାର ତୀବ୍ରତା ଆହୁରି ବଢ଼ିବ ବୋଲି IMD ସତର୍କ କରିଛି।