ନୂଆଦିଲ୍ଲୀ: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟିଲିଜେନ୍ସ (ଏଆଇ)ର ତଥ୍ୟକୁ ବ୍ୟବହାର କରିବା କଦାପି ଗ୍ରହଣୀୟ ନୁହେଁ । ଅଦାଲତରେ ଏଆଇ ତଥ୍ୟ ଦାଖଲ କଲେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରାଯିବ । ଆଜି ମାନ୍ୟବର ସର୍ବୋଚ୍ଚ ଅଦାଲତ ଏକ ମାମଲାର ଶୁଣାଣି ସମୟରେ ଏଆଇର ବ୍ୟବହାରକୁ ନେଇ ଶକ୍ତ ଟିପ୍ପଣୀ ଦେଇଛନ୍ତି । ନ୍ୟାୟିକ ପ୍ରକ୍ରିୟାର ଏଆଇର ବ୍ୟବହାର ଉପରେ କଟକଣା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିବାକୁ ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ନ୍ୟାୟମୂର୍ତ୍ତି ପି.ଏସ୍ ନରସିଂହ ଏବଂ ଆଲୋକ ଆରାଧେଙ୍କ ଖଣ୍ଡପୀଠ ପୂଜା ରମେଶ ସିଂହ ବନାମ ଜେ ଆଣ୍ଡ୍ କେ ବ୍ୟାଙ୍କ ମାମଲାରେ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ (ଏନସିଏଲଟି) ଦ୍ୱାରା ଜାରି ହୋଇଥିବା ଆଦେଶ ଉପରେ ପୁନର୍ବିଚାର କରିଛନ୍ତି । ଖଣ୍ଡପୀଠ ଜାଣିବାକୁ ପାଇଥିଲେ ଯେ ଏନସିଆଲଟି ମାମଲାର ଶୁଣାଣିରେ ଯେଉଁ ତଥ୍ୟର ଉଦାହରଣ ଦେଇଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ କପୋଳକଳ୍ପିତ ଏବଂ ଏଆଇ ଦ୍ୱାରା ଉଦ୍ଧୃତ ହୋଇଛି ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି କୌଣସି ଆଇନଜୀବୀ ଉପଯୁକ୍ତ ପରିଶ୍ରମ ବିନା ଏପରି ମନଗଢ଼ା ରାୟର ଉଦାହରଣ ଦିଅନ୍ତି, ତେବେ ତାକୁ ଅଦାଲତର ଅସଦାଚରଣ ବୋଲି ବିବେଚନା କରାଯିବ। ସେହିପରି ଜଣେ ବିଚାରପତି ରାୟ ଶୁଣାଇବା ସମୟରେ ଏଭଳି ମନଗଢ଼ା କାହାଣୀ କିମ୍ବା ଏଆଇର ତଥ୍ୟ ବ୍ୟବହାର କରିବା ଏକ ଗୁରୁତର ତ୍ରୁଟି ହେବ । ଏପରି ମନଗଢ଼ା ଏଆଇ ତଥ୍ୟ ଉପରେ ଆଧାରିତ କୌଣସି ନିଷ୍ପତ୍ତିକୁ ଆଇନ ସାମ୍ନାରେ ଗହଣୀୟ ନୁହେଁ । ରାୟ ଶୁଣାଣିରେ ଏଭଳି ଏଆଇ କିମ୍ବା ମନଗଢ଼ା ତଥ୍ୟ ସାମାନ୍ୟ ମାତ୍ର ବ୍ୟବହାର ହୋଇଥିଲେ ମଧ୍ୟ ସେହି ନିଷ୍ପତ୍ତିକୁ ଗ୍ରହଣ କରାଯିବ ନାହିଁ । କୋର୍ଟଙ୍କ ସେହି ରାୟକୁ ସମ୍ପୂର୍ଣ୍ଣ ରଦ୍ଦ କରାଯିବ ।
ସୁପ୍ରିମକୋର୍ଟ ଏଆଇର ବିପଦକୁ ଦୃଷ୍ଟିରେ ରଖି ଚେତାବନୀ ଦେଇଛନ୍ତି ଯେ ବିବାଦ ସମାଧାନ ଏବଂ ନ୍ୟାୟ କ୍ଷେତ୍ରରେ ଏଆଇ ମାଧ୍ୟମରେ ଏପରି ନକଲି ଏବଂ ମନଗଢ଼ା ରାୟର ବ୍ୟବହାର, ଆଇନ ଏବଂ ନ୍ୟାୟ କ୍ଷେତ୍ରରେ ମିଥାଇଲ୍ ଆଇସୋସାଇନେଟ୍ ଗ୍ୟାସର ଲିକେଜ୍ ସହିତ ସମାନ। ତେଣୁ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ପାଇଁ ତୁରନ୍ତ ଏକ କମିଟି ଗଠନ କରିବାକୁ ବିସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଏହି ନୂତନ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତତସହିତ ଅଦାଲତରେ ଏଆଇ ତଥ୍ୟ ଉପସ୍ଥାପନ କରୁଥିବା ଓକିଲମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ଉଦାହରଣ ସ୍ଥାପନ କରିବାକୁ କହିଛନ୍ତି ।
ଏହା ସହିତ ସୁପ୍ରିମକ ଏସ୍ସେଲ୍ ଇନଫ୍ରାପ୍ରୋଜେକ୍ଟସ୍ ଦେବାଳିଆ ମାମଲାରେ ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲର ଆଦେଶକୁ ଖାରଜ କରିଛନ୍ତି । ଅସମର୍ଥିତ ଏବଂ କାଳ୍ପନିକ ରାୟ ଉପରେ ନିର୍ଭର କରି ନ୍ୟାୟିକ ପ୍ରକ୍ରିୟା କଳୁଷିତ ହୋଇଛି। କୋର୍ଟ ମାମଲାକୁ ଏନସିଏଲଟି ନିକଟକୁ ପୁନର୍ବାର ପଠାଇ ଦେଇ ଦୁଇ ସପ୍ତାହ ମଧ୍ୟରେ ନୂତନ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ପର୍ଯ୍ୟନ୍ତ ସମସ୍ତ ପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।