ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ବିହାର, ମଧ୍ୟପ୍ରଦେଶ ଏବଂ ଗୁଜରାଟର ତିନୋଟି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ବିହାରର ବାଙ୍କିପୁର ଆସନ, ମଧ୍ୟପ୍ରଦେଶର ଦାତିଆ ଆସନ ଏବଂ ଗୁଜରାଟର ମଞ୍ଜଲପୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଜୁଲାଇ ୩୦ ତାରିଖରେ ଏହି ସମସ୍ତ ଆସନ ପାଇଁ ମତଦାନ ହେବ ଏବଂ ୩ ଅଗଷ୍ଟରେ ମତ ଗଣନା କରାଯାଇ ଫଳାଫଳ ପ୍ରକାଶ ପାଇବ ।
ଆଜି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ୬ ଜୁଲାଇରେ ତିନି ବିଧାନସଭା ଆସନ ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯିବ । ଆଶାୟୀ ପ୍ରାର୍ଥୀମାନେ ୧୩ ଜୁଲାଇ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ୧୪ ଜୁଲାଇରେ ହେବାକୁ ଥିବାବେଳେ ୧୬ ଜୁଲାଇରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିବ । ଏହା ପରେ ୩୦ ଜୁଲାଇ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ଅଗଷ୍ଟ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ।
ନିର୍ବାଚନ ତାରିଖ ଘୋଷଣା ସହିତ ନିର୍ବାଚନ ମଣ୍ଡଳୀଗୁଡ଼ିକରେ 'ଆଦର୍ଶ ଆଚରଣ ସଂହିତା' ତତ୍କାଳ ପ୍ରଭାବ ସହିତ କାର୍ଯ୍ୟକାରୀ ହୋଇଛି । ଏହି ସଂହିତା ଅନୁଯାୟୀ, ସରକାର ଏବଂ ରାଜନୈତିକ ଦଳଗୁଡ଼ିକୁ ଭୋଟରମାନଙ୍କୁ ପ୍ରଭାବିତ କରିପାରୁଥିବା ନୂତନ ଘୋଷଣା କିମ୍ବା କାର୍ଯ୍ୟକଳାପ କରିବା ପାଇଁ ନିଷେଧ କରାଯାଇଛି।
ଏହା ବ୍ୟତୀତ, ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ, ନିର୍ବାଚନ କମିଶନ ସମସ୍ତ ମତଦାନ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ସହିତ ଭିଭିପାଟ୍ ମେସିନ୍ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରିଛନ୍ତି, ଯାହା ଦ୍ଵାରା ଭୋଟରମାନେ ସେମାନଙ୍କର ଭୋଟ୍ ଯାଞ୍ଚ କରିପାରିବେ। ସେହିପରି କୌଣସି ପ୍ରାର୍ଥୀ ନିଜର ଅପରାଧିକ ରେକର୍ଡ ଲୁଚାଇବା ପାରିବେ ନାହିଁ ।
ଉଲ୍ଲେଖନୀୟ, ବିଜେପିର ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଇସ୍ତଫା ପରେ ବାଙ୍କିପୁର ବିଧାନସଭା ଆସନ ଖାଲି ପଡ଼ିଛି । କଂଗ୍ରେସ ବିଧାୟକ ରାଜେନ୍ଦ୍ର ଭାରତୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପରେ ମଧ୍ୟପ୍ରଦେଶର ଦାତିଆ ବିଧାନସଭା ଆସନ ଖାଲି ପଡ଼ିଥିଲା । ବରିଷ୍ଠ ବିଜେପି ବିଧାୟକ ଯୋଗେଶଭାଇ ନାରାୟଣ ଭାଇ ପଟେଲଙ୍କ ଦେହାନ୍ତ ଯୋଗୁଁ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନ ଖାଲି ପଡ଼ିଛି ।