କଟକ: ବିଜେଡିର ପୂର୍ବତନ ବିଧାୟକ ତଥା ଦଳର ବିଦ୍ରୋହୀ ନେତା ପ୍ରଭାତ ବିଶ୍ୱାଳଙ୍କୁ ଓଡ଼ିଶା ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ବହୁଚର୍ଚ୍ଚିତ ଚିଟଫଣ୍ଡ ମାମଲାରେ ସିବିଆଇ କୋର୍ଟରେ ଚାଲିଥିବା ମାମଲାକୁ ଖାରଜ କରିବା ପାଇଁ ସେ ଦାଖଲ କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।
କେବଳ ଆବେଦନ ନାମଞ୍ଜୁର କରିନାହାନ୍ତି, ବରଂ ମାମଲାର ବିଚାର ପ୍ରକ୍ରିୟାକୁ ଆଉ ବିଳମ୍ବ ନକରି ୬ ମାସ ମଧ୍ୟରେ ଶେଷ କରିବାକୁ ସିବିଆଇର ସ୍ୱତନ୍ତ୍ର କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ବହୁ ଦିନ ଧରି ଚାଲିଆସୁଥିବା ଏହି ମାମଲାର ବିଚାର ପ୍ରକ୍ରିୟା ଏବେ ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ସି-ସୋର ଚିଟଫଣ୍ଡ କମ୍ପାନି ସହ ଅର୍ଥ କାରବାର ଏବଂ ଆର୍ଥିକ ଅନିୟମିତତା ଅଭିଯୋଗରେ ସିବିଆଇ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତଦନ୍ତ ପରେ ସିବିଆଇ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରି ଜେଲ ପଠାଇଥିଲା।
କିଛିଦିନ ଜେଲରେ ରହିବା ପରେ ସେ ଅସୁସ୍ଥତା ଦର୍ଶାଇ ଜାମିନରେ ମୁକୁଳିଥିଲେ। ଏବେ ମାମଲାକୁ ରଦ୍ଦ କରିବା ପାଇଁ କରାଯାଇଥିବା ଆବେଦନ ଖାରଜ ହେବା ସହ ହାଇକୋର୍ଟ ୬ ମାସ ମଧ୍ୟରେ ବିଚାର ଶେଷ କରିବାକୁ କହିଥିବାରୁ ଏହି ବହୁଚର୍ଚ୍ଚିତ ଚିଟଫଣ୍ଡ ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।