ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ତଥା କୋଲକାତା ନାଇଟ୍ ରାଇଡର୍ସ ମାଲିକ ଶାହରୁଖ ଖାନ ନିଜର ଆଉ ଏକ ବଡ଼ ସ୍ୱପ୍ନକୁ ସାକାର କରିଛନ୍ତି । ଶାହରୁଖ ଆମେରିକାର ଲସ୍ ଏଞ୍ଜେଲସ୍ ନାଇଟ୍ ରାଇଡର୍ସ ନାମରେ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିଛନ୍ତି ।
ଶାହରୁଖ ଖାନ ସୋସିଆଲ୍ ମିଡ଼ିଆରେ ଷ୍ଟାଡିୟମର ଭିଡ଼ିଓ ସେୟାର କରିଛନ୍ତି । ସେ କହିଛନ୍ତି, ତାଙ୍କର ସ୍ୱପ୍ନ ଆଜି ବାସ୍ତବ ରୂପ ନେଇଛି । ଏହି ଷ୍ଟାଡିୟମ କେବଳ କ୍ରିକେଟ ପାଇଁ ନୁହେଁ ବରଂ ମନୋରଞ୍ଜନ, ପରିବାର ଏବଂ ଅନେକ ସ୍ମରଣୀୟ ଦିନ ପାଇଁ ଏହାକୁ ନିର୍ମାଣ କରାଯାଇଛି, ଯାହା ଚୀରଦିନ ସ୍ମରଣୀୟ ହୋଇ ରହିବ । ବିଶ୍ୱର ସମସ୍ତ କ୍ରିକେଟ ପ୍ରଶଂସକ ଏବଂ ସମସ୍ତ କେକେଆର୍ ପରିବାରକୁ ଏହା ସମର୍ପିତ । ଏଥିରେ ସହଯୋଗ କରିଥିବାରୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ଜୟ ଶାହଙ୍କୁ ସେ ଏଥିପାଇଁ ବିଶେଷ କୃତଜ୍ଞତା ଜଣାଇଛନ୍ତି ।
ତେବେ ଶାହରୁଖଙ୍କ ଭିଡ଼ିଓରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଜଣେ ପାକିସ୍ତାନୀ ଖେଳାଳୀ । ସେ ହେଉଛନ୍ତି ଅଲୀ ଖାନ । ଅଲୀ ମୂଳତଃ ପାକିସ୍ତାନରେ ଜନ୍ମଗ୍ରହଣ କରିଥିବାବେଳେ ବର୍ତ୍ତମାନ ସେ ଆମେରିକା କ୍ରିକେଟ୍ ପାଇଁ ଖେଳୁଛନ୍ତି । ସେ ମେଜର୍ ଲିଗ୍ କ୍ରିକେଟ୍ (ଏମଏଲସି)ରେ ନାଇଟ୍ ରାଇଡର୍ସର ଖେଳାଳୀ ଅଟନ୍ତି ।