ନୂଆଦିଲ୍ଲୀ: ଆୟରଲାଣ୍ଡ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧୫ ବର୍ଷୀୟ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଥିଲେ ମଧ୍ୟ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲା। ଏବେ ଜୁଲାଇ ୧ ରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ବୈଭବ ଆନ୍ତର୍ଜାତୀୟ କ୍ରିକେଟ୍ରେ ପାଦ ଥାପିବେ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସସପେନ୍ସ ଭିତରେ ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଏକ ବଡ଼ ବୟାନ ଦେଇଛନ୍ତି।
ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୈଭବଙ୍କ ଡେବ୍ୟୁକୁ ନେଇ ପଚରାଯାଇଥିବା ପ୍ରଶ୍ନର ଏକ ଚତୁର ଜବାବ ଦେଇଛନ୍ତି ଶ୍ରେୟସ ଆୟର। ସେ କହିଛନ୍ତି, ଦେଖନ୍ତୁ, ଆଗକୁ କଣ ହେବାକୁ ଯାଉଛି ତାହା କେହି ଜାଣିନାହାନ୍ତି। ଏହି ସବୁ ନିଷ୍ପତ୍ତି ଅତ୍ୟନ୍ତ ଗୋପନୀୟ ଏବଂ ଏ ନେଇ ଦଳ ଭିତରେ ଆଲୋଚନା ଚାଲିଛି। ସେ ବୈଭବଙ୍କ ପ୍ରଶଂସା କରି କହିଛନ୍ତି, "ବୈଭବ ଜଣେ ଅଦ୍ଭୁତ ପ୍ରତିଭା। ଯେତେବେଳେ ବି ତାଙ୍କୁ ମଇଦାନକୁ ଓହ୍ଲାଇବାର ସୁଯୋଗ ମିଳିବ, ସେ ନିଶ୍ଚିତ ଭାବେ ଦମଦାର ପ୍ରଦର୍ଶନ କରିବେ।
ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ
ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ପାଇଥିବା ସବୁଠାରୁ କମ ବୟସ୍କ ଖେଳାଳି ହେବାର ଗୌରବ ପୂର୍ବରୁ ବୈଭବଙ୍କ ନାମରେ ଜଡ଼ିତ ହୋଇସାରିଛି। ଯଦି ଏହି ସିରିଜ୍ରେ ସେ ମ୍ୟାଚ୍ ଖେଳନ୍ତି, ତେବେ ଭାରତ ପାଇଁ ସବୁଠାରୁ କମ୍ ବୟସରେ ଆନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିବାର ମହାନ ରେକର୍ଡ ସେ ନିଜ ନାମରେ କରିବେ। ବର୍ତ୍ତମାନ ଏହି ବିଶ୍ୱ ରେକର୍ଡ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି।
ଆଇପିଏଲ୍ରୁ ଟିମ୍ ଇଣ୍ଡିଆର ରାସ୍ତା
ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବା ବୈଭବ ସୂର୍ଯ୍ୟବଂଶୀ ଗତ ୨୦୨୫ ସିଜନ୍ରେ ଡେବ୍ୟୁ କରିଥିଲେ। ରାଜସ୍ଥାନ ତାଙ୍କୁ ୧.୧୦ କୋଟି ଟଙ୍କାରେ କିଣିଥିଲା। ପ୍ରଥମ ସିଜନ୍ରେ ସେ ୭ଟି ମ୍ୟାଚ୍ରୁ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ ସହ ୨୫୨ ରନ୍ କରିଥିଲେ। ଏହାପରେ ପରବର୍ତ୍ତୀ ସିଜନ୍ରେ ସେ ବିସ୍ଫୋରକ ବ୍ୟାଟିଂ କରି ୧୬ଟି ପାରିରୁ ୭୭୬ ରନ୍ ସଂଗ୍ରହ କରିବା ସହ 'ଅରେଞ୍ଜ କ୍ୟାପ୍' ଜିତିଥିଲେ। ଆଇପିଏଲ୍ର ଏହି ଚମତ୍କାର ପ୍ରଦର୍ଶନ ହିଁ ତାଙ୍କ ପାଇଁ ଜାତୀୟ ଦଳର ଦ୍ୱାର ଖୋଲିଛି।