ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଇତିହାସରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଆୟରଲାଣ୍ଡଠାରୁ ମାତ୍ର ୧ ରନ୍ରେ ହାରିବା ସହ ଭାରତୀୟ ଦଳ ସିରିଜ୍ ହାତଛଡ଼ା କରିଛି। ଏହି ପରାଜୟ ସହ ଆୟରଲାଣ୍ଡ ୨ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍କୁ ୨-୦ ରେ ଜିତି ଐତିହାସିକ ସଫଳତା ହାସଲ କରିଛି। କ୍ରମାଗତ ୧୬ଟି ଟି-୨୦ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ କୌଣସି ସିରିଜ୍ ହାରିଛି। ଆନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଆୟରଲାଣ୍ଡ ଭାରତ ବିପକ୍ଷରେ ସିରିଜ୍ ଜିତିବାରେ ସଫଳ ହୋଇଛି। ଅନ୍ୟପଟେ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତ ନିଜର ପ୍ରଥମ ସିରିଜ୍ରେ ହିଁ ଲଜ୍ଜାଜନକ ପରାଜୟ ଭୋଗିଛି।
ବ୍ୟାଟିଂ ବିପର୍ଯ୍ୟୟ
ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆୟରଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୪ ରନ୍ ସଂଗ୍ରହ କରିଥିଲା। ଭାରତ ଆଗରେ ୧୫୫ ରନ୍ର ଏକ ସହଜ ଲକ୍ଷ୍ୟ ଥିଲା, କିନ୍ତୁ ଦଳର ଶୋଚନୀୟ ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଏହି ସାଧାରଣ ସ୍କୋର ମଧ୍ୟ ପାହାଡ଼ ଭଳି ମନେହୋଇଥିଲା। ଭାରତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୫୩ ରନ୍ ହିଁ କରିପାରିଥିଲା।
ଟିମ୍ ଇଣ୍ଡିଆର ଆରମ୍ଭ ଏକଦମ ନିରାଶଜନକ ଥିଲା। ଦୁଇ ଓପନର ସଞ୍ଜୁ ସାମସନ ଏବଂ ଅଭିଷେକ ଶର୍ମା ଖାତା ଖୋଲିବା ପୂର୍ବରୁ ହିଁ ପଭିଲିୟନ ଫେରିଥିଲେ। ଉଭୟଙ୍କୁ ଜୟ ମୁନ୍ଦ୍ରା ଆଉଟ୍ କରିଥିଲେ। ଏହାପରେ ଈଶାନ କିଷନ (୧୨) ରନ୍ ଆଉଟ୍ ହୋଇଥିବା ବେଳେ କ୍ୟାପଟେନ୍ ଶ୍ରେୟସ ଆୟର ମାତ୍ର ୧୦ ରନ୍ କରି ଆଉଟ୍ ହୋଇଥିଲେ। ମାତ୍ର ୩୫ ରନ୍ରେ ୪ଟି ୱିକେଟ୍ ହରାଇ ଦଳ ସଂକଟରେ ପଡ଼ିଥିଲା। ଅକ୍ଷର ପଟେଲ (୧୪ ରନ୍, ୧୮ ବଲ୍) ବହୁତ ଧୀମା ବ୍ୟାଟିଂ କରିଥିଲେ। ତିଲକ ବର୍ମା ଗୋଟିଏ ପଟେ ଲଢ଼େଇ ଜାରି ରଖି ୪୬ ବଲ୍ରେ ୫୫ ରନ୍ (୩ ଚୌକା, ୧ ଛକା) କରିଥିଲେ ମଧ୍ୟ ରନ୍ ରେଟ୍ ବଢ଼ି ଚାଲିଥିଲା। ଶିବମ ଦୁବେ ୧୬ ବଲ୍ରେ ୨୦ ରନ୍ କରି ଆଉଟ୍ ହୋଇଥିଲେ ଏବଂ ଡେବ୍ୟୁଟାଣ୍ଟ ସୂର୍ଯ୍ୟାଂଶ ଶେଡଗେ ମାତ୍ର ୧ ରନ୍ କରି ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ।
ଶେଷ ଓଭରର ରୋମାଞ୍ଚ: ହର୍ଷିତ ରାଣା ଦେଖାଇଲେ ଦମ, କିନ୍ତୁ ଜିତାଇ ପାରିଲେନି
ଶେଷ ୨ ଓଭରରେ ଭାରତକୁ ଜିତିବା ପାଇଁ ୩୪ ରନ୍ ଦରକାର ଥିଲା। ୧୯ତମ ଓଭରରେ ହର୍ଷିତ ରାଣା ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ୧୪ ରନ୍ ଆଦାୟ କରିଥିଲେ। ଶେଷ ଓଭରରେ ଭାରତକୁ ଜିତିବା ପାଇଁ ୨୦ ରନ୍ ଆବଶ୍ୟକ ଥିଲା। ଶେଷ ୪ ବଲ୍ରେ ୧୧ ରନ୍ ଦରକାର ଥିବା ବେଳେ ରାଣା ସିଙ୍ଗଲ୍ ନେଇ ଅର୍ଶଦୀପଙ୍କୁ ଷ୍ଟ୍ରାଇକ୍ ଦେଇଥିଲେ। ଏହାପରେ ପୁଣି ଏକ ୱାଇଡ୍ ଆସିଥିଲା ଏବଂ ଅର୍ଶଦୀପ ସିଙ୍ଗଲ୍ ନେଇଥିଲେ। ଶେଷ ୨ ବଲ୍ରେ ୮ ରନ୍ ଦରକାର ଥିବା ବେଳେ ବଡ଼ ସଟ୍ ମାରିବା ପ୍ରୟାସରେ ହର୍ଷିତ ରାଣା (୨୧ ରନ୍, ୧୦ ବଲ୍) ଆଉଟ୍ ହୋଇଯାଇଥିଲେ। ଶେଷ ବଲ୍ରେ ପ୍ରିନ୍ସ ଯାଦବ ଏକ ଚମତ୍କାର ଛକା ମାରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇପାରି ନଥିଲେ ଏବଂ ଭାରତ ମାତ୍ର ୧ ରନ୍ରେ ଏହି ଐତିହାସିକ ମ୍ୟାଚ୍ ହାରିଯାଇଥିଲା।