ବେଲଫାଷ୍ଟ: ଆଫଗାନିସ୍ତାନକୁ ଟେଷ୍ଟ ଏବଂ ଦିନିକିଆ ସିରିଜ୍ରେ ଧୂଳି ଚଟାଇବା ପରେ ଏବେ ଟି-୨୦ ମ୍ୟାଚ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଭାରତୀୟ କ୍ରିକେଟ୍ ଦଳ । ଶୁକ୍ରବାର ଠାରୁ ଆଇରଲ୍ୟାଣ୍ଡ ଗସ୍ତରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ନୂଆ ଅଧିନାୟକ ଭାବେ ଷ୍ଟାର୍ ବ୍ୟାଟର ଶ୍ରେୟସ ଆୟରଙ୍କ ପାଇଁ ଏହା ପ୍ରଥମ ଅଗ୍ନିପରୀକ୍ଷା ହେବାକୁ ଯାଉଛି । ବେଲଫାଷ୍ଟର ସିଭିଲ୍ ସର୍ଭିସ କ୍ରିକେଟ୍ କ୍ଲବ୍ ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ, ଯେଉଁଠାରେ ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିପାରନ୍ତି ।
ଗମ୍ଭୀର ଓ ଶ୍ରେୟସଙ୍କ ପାଇଁ ବଢ଼ିଲା ଚିନ୍ତା
ପ୍ରଥମ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ଅଧିନାୟକ ଶ୍ରେୟସ ଆୟର ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଶେଷ କରି ଫର୍ମରେ ଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ କେଉଁ ସ୍ଥାନରେ ଖେଳାଯିବ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୈଭବ ଗୁରୁବାର ନେଟରେ ଖୁବ ଅଭ୍ୟାସ କରିଛନ୍ତି, ଯାହା ସଙ୍କେତ ଦେଉଛି କି ସେ ଓପନିଂ କରିପାରନ୍ତି । ଯଦି ବୈଭବ ଓପନିଂ କରନ୍ତି, ତେବେ ଷ୍ଟାର୍ ୱିକେଟକିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ପଡ଼ିବ ।
ଟସ୍ ସମୟ: ଭାରତୀୟ ସମୟ ସନ୍ଧ୍ୟା ୫:୩୦ ମିନିଟ୍
ମ୍ୟାଚ୍ ଆରମ୍ଭ: ଭାରତୀୟ ସମୟ ସନ୍ଧ୍ୟା ୬:୦୦ ଟା
ଟିଭି ଚ୍ୟାନେଲ: ସୋନି ସ୍ପୋର୍ଟସ (Sony Sports)
ଲାଇଭ୍ ଷ୍ଟ୍ରିମିଂ ଆପ୍: ସୋନି ଲିଭ୍ (Sony LIV)
ପିଚ୍ ଓ ପାଣିପାଗ ରିପୋର୍ଟ
ବେଲଫାଷ୍ଟର ପିଚ୍ ସାଧାରଣତଃ ଦ୍ରୁତ ବୋଲରଙ୍କୁ ବେଶ୍ ସହାୟତା କରିଥାଏ । ଗୁରୁବାର ଆକାଶ ମେଘାଚ୍ଛନ୍ନ ରହିବା ସହ ପାଣିପାଗ ମଧ୍ୟ ପେସରମାନଙ୍କ ଅନୁକୂଳ ରହିବ । ପିଚ୍ରେ ଭଲ ବାଉନ୍ସ ଦେଖିବାକୁ ମିଳିପାରେ । ଏହାକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆ ତିନି ପ୍ରମୁଖ ଦ୍ରୁତ ବୋଲର ହର୍ଷିତ ରାଣା, ଅର୍ଶଦୀପ ସିଂହ ଏବଂ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ନେଇ ମୈଦାନକୁ ଓହ୍ଲାଇପାରେ । ଖେଳାଳିମାନଙ୍କୁ ରନ୍ ସଂଗ୍ରହ କରିବା ପାଇଁ କଷ୍ଟ କରିବାକୁ ପଡ଼ିପାରେ, ତେଣୁ ଏକ ହାଇ-ସ୍କୋରିଂ ମ୍ୟାଚ୍ ଆଶା କରାଯାଉନାହିଁ ।
ଭାରତର ସମ୍ଭାବ୍ୟ ଏକାଦଶ
ବୈଭବ ସୂର୍ଯ୍ୟବଂଶୀ, ଅଭିଷେକ ଶର୍ମା, ଈଶାନ କିଷାନ, ଶ୍ରେୟସ ଆୟର (କପ୍ତାନ), ତିଲକ ବର୍ମା, ସଞ୍ଜୁ ସାମସନ (ୱିକେଟକିପର), ଶିବମ ଦୁବେ, ଅକ୍ଷର ପଟେଲ/ୱାଶିଂଟନ ସୁନ୍ଦର, ହର୍ଷିତ ରାଣା, ଅର୍ଶଦୀପ ସିଂହ ଓ ପ୍ରସିଦ୍ଧ କ୍ରିଷ୍ଣା ।