ବେଙ୍ଗାଲୁରୁ: ବେଙ୍ଗାଲୁରୁ ସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମୁଖ୍ୟାଳୟକୁ ବୋମା ଧମକ ମିଳିଛି । ଗୁରୁବାର ଇମେଲ୍ ଜରିଆରେ ଆଇଡିକୁ ବୋମା ଧମକ ମିଳିବା ପରେ ସମ୍ପୂର୍ଣ୍ଣ କାର୍ଯ୍ୟାଳୟରେ ହାଇଆଲର୍ଟ ଜାରି କରାଯାଇଛି । ସନ୍ଧାନୀକାରୀ ଦଳ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି ।
ପୋଲିସର ସୂଚନା ମୁତାବକ, ଇସ୍ରୋ ଅଧ୍ୟକ୍ଷ ଡାକ୍ତର ଭି ନାରାୟନଙ୍କ ଇମେଲକୁ ଏକ ମେସେଜ୍ ଆସିଥିଲା । ଇସ୍ରୋ ମୁଖ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା । ଏହା ପରେ ଅଧ୍ୟକ୍ଷ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ତୁରନ୍ତ ମୁଖ୍ୟାଳୟରେ ହାଇଆଲର୍ଟ ଜାରି କରାଯାଇଥିଲା । ସୁରକ୍ଷାବାହିନୀ ବମ୍ ସ୍କାଡ୍, ସନ୍ଧାନୀ କୁକୁର ସହିତ ଯାଞ୍ଚ ଆରମ୍ଭ କରିଥିଲେ । କିନ୍ତୁ ଯାଞ୍ଚ ବେଳେ ସେପରି କୌଣସି ସନ୍ଧିଗ୍ଧ ସାମଗ୍ରୀ ମିଳିନଥିବା ଜଣାପଡ଼ିଛି । ତେବେ ଏହା ଏକ ମିଥ୍ୟା ଧମକ ଥିବା ସ୍ପଷ୍ଟ ହୋଇଛି । ଇମେଲ୍ କେଉଁଠୁ ଆସିଥିଲା ସେସମ୍ପର୍କରେ ସାଇବର୍ ଟିମ୍ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଅନେକ ଧମକ ମିଳିସାରିଛି । ବିଭିନ୍ନ ରାଜ୍ୟ ହାଇକୋର୍ଟ, ବିମାନ କମ୍ପାନୀ, ଦିଲ୍ଲୀରୁ ବିଭିନ୍ନ ସ୍କୁଲ, ସପିଂ ମଲକୁ ବୋମା ଧମକ ମିଳିଛି । ମାତ୍ର ଯାଞ୍ଚ ପରେ ସେପରି କିଛି ମିଳିନାହିଁ ।