ରାୟଗଡ଼ା: ରାୟଗଡା ବ୍ଲକ ସ୍ଥିତ ଗାଜିଗାଁ ଗ୍ରାମରେ ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ମଶାଣିରେ ମିଳିଲାନି ସ୍ଥାନ । ଧର୍ମ ପରିବର୍ତ୍ତନ କରିଥିବାରୁ ଆଦିବାସୀ ବୃଦ୍ଧଙ୍କୁ ଶ୍ମଶାନ ମିଳୁନଥିବା ଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । କାନ୍ଧ ଦେବାକୁ ଆସିଲେନି ଜାତିଭାଇ । ଶେଷରେ କିଛି ସମାଜ ସେବୀ ଗାଁରେ ପହଁଚି ବୃଦ୍ଧଙ୍କ ଶବ ସତ୍କାର କରିଛନ୍ତି ।
ଗାଜିଗାଁ ଗ୍ରାମର ଆଦିବାସୀ ସଂପ୍ରଦାୟର ଜାକାକା ଦାମ (୬୫ ବର୍ଷ ) ୫ ବର୍ଷ ତଳେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । କିଛି ମାସ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ସକାଳେ ପ୍ରାୟ ୮ଟା ସମୟରେ ସେ ମୃତ୍ୟୁବରଣ କରିଥିଲେ । ପରିବାର ଲୋକେ ଖ୍ରୀଷ୍ଟଧର୍ମ ଅନୁଯାୟୀ ତାଙ୍କର ପାର୍ଥିବ ଶରୀରକୁ କବର ଦେବାକୁ କହିଥିଲେ । ଏଥିପାଇଁ ଗାଁ ମଶାଣିରେ ସ୍ଥାନ ଦେବାକୁ ଅନୁରୋଧ କରିବାରୁ ଗ୍ରାମବାସୀ ବିରୋଧ କରିଥିଲେ । ଏହି ଶ୍ମଶାନ କେବଳ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଏବଂ ପୋଡା ଯାଉଥିବାରୁ ଦାମଙ୍କ ମୃତ ଦେହକୁ କବର ଦେବା ପାଇଁ ଗ୍ରାମବାସୀମାନେ ବାରଣ କରିଥିଲେ । ସେହିପରି ଜାତିଭାଇ ମଧ୍ୟ ଅଡ଼ି ବସିଥିଲେ । ପ୍ରାୟ ୨୪ ଘଣ୍ଟା ପାଖାପାଖି ଶବ ପଡ଼ି ରବିଥିଲା । ମୃତ ଦାମଙ୍କ ୩ ପୁଅ ଏବଂ ଅନ୍ୟ ସଂପର୍କିୟମାନେ ମଧ୍ୟ କୌଣସି ଅଭିଯୋଗ କରିନଥିଲେ ।
ସେପଟେ ସ୍ଥାନୀୟ ରୀତିନୀତି ଅନୁଯାୟୀ ଗ୍ରାମରେ କେହି ମୃତ୍ୟୁବରଣ କଲେ ଚୂଲି ଜଳିବ ନାହିଁ କିମ୍ବା ରୋଷେଇ ମଧ୍ୟ ହେବ ନାହିଁ । ତେଣୁ ସମଗ୍ର ଗାଁରେ ରୋଷେଇ ବନ୍ଦ ରହିଛି । ତେବେ କିଛି ସାମାଜିକ କର୍ମୀ ଏ ନେଇ ସୂଚନା ପାଇବା ପରେ ଗ୍ରାମବାସୀଙ୍କୁ ବୁଝାସୁଝା କରି ନିଜେ ଶବ ସତ୍କାର କରିଛନ୍ତି । ଶେଷଖାଲ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ତଦନ୍ତ ଆରମ୍ଭ କରିଛି ।