ଭୁବନେଶ୍ୱର: ସରକାରୀ ଅଧିକାରୀ ହୋଇ ଘନ ଘନ ହେଲିକପ୍ଟର ଏବଂ ଚାଟାର୍ଡ୍ ବିମାନରେ ବୁଲିଲା ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ପ୍ରାୟ ୩୦୦ ଥର ହେଲିକପ୍ଟରରେ ଯାତ୍ରା କରିବା ଏବଂ ରାଜ୍ୟ ରାଜକୋଷକୁ ଖାଲି କରିବାକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଅଦାଲତ ସମନ ଜାରି କରିଛନ୍ତି ।
ଗତବର୍ଷ ଆଇନଜୀବୀ ସୁଧୀର ମହାନ୍ତି ନବୀନ ପଟ୍ଟନାୟକ ଏବଂ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ହେଲିକପ୍ଟର ଯାତ୍ରାରେ କିଭଳି ରାଜ୍ୟ ରାଜକୋଷରୁ ଅର୍ଥ ବ୍ୟୟ ହୋଇଥିବା ନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ ନିକଟରେ ଆବେଦନ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ସରକାରରେ ଥିବା ସମୟରେ ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ସଚିବ ପାଣ୍ଡିଆନ ୩୦୦ ଥର ହେଲିକପ୍ଟରରେ ଯାତ୍ରା କରିଛନ୍ତି । ଜଣେ ସରକାରୀ ଅଧିକାରୀ ହୋଇ ସେ ବାରମ୍ବାର ବିନା କୌଣସି କାରଣରେ ବିଭିନ୍ନ କାର୍ଯ୍ୟକ୍ରମକୁ ହେଲିକପ୍ଟରରେ ବୁଲିଥିଲେ । ଆଉ ଏହି ସମସ୍ତ ଅର୍ଥ ରାଜ୍ୟ ରାଜକୋଷରୁ ବ୍ୟୟ କରାଯାଇଥିଲା । ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଓଏସ୍ଏସ୍ଏଆର୍ କମ୍ପାନୀକୁ ୫୦ କୋଟି ୫୫ ଲକ୍ଷ ଏବଂ ଜେଟ୍ ସର୍ଭ ଏଭିଏସନ୍ କମ୍ପାନୀକୁ ୫୨ କୋଟି ୧୮ ଲକ୍ଷ ଟଙ୍କା ଦିଆଯାଇଥିଲା । ପ୍ରାୟ ୧୦୨ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।
ସୁଧୀର ମହାନ୍ତି ପ୍ରଥମେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ମାତ୍ର ସେଠାରୁ ନିରାଶ ହେବା ପରେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟଙ୍କ ପୂର୍ବ ଆଦେଶକୁ ଚ୍ୟାଲେଞ୍ଜ କରି ବରିଷ୍ଠ ଓକିଲ ମନୋଜ ନାୟକଙ୍କ ମାଧ୍ୟମରେ ଜିଲ୍ଲା ଦୌରା ଜଜଙ୍କ ନିକଟରେ ଏହି ରିଭିଜନ ପିଟିସନ୍ ଦାଏର କରିଥିଲେ। । କୋର୍ଟ ଏହି ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ଶୁଣାଣି ପରେ ଏହାକୁ ଆଗକୁ ବଢ଼ାଇବା ନିମନ୍ତେ ଅନୁମତି ଦେଇଛନ୍ତି। ଏହି ହାଇପ୍ରୋଫାଇଲ୍ ମାମଲାରେ ଦୌରା ଜଜ୍ ବିଏନ୍ ମହାନ୍ତି ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ସମନ୍ ଜାରି କରିବା ସହ ଆସନ୍ତା ଜୁଲାଇ ୧୫ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୮ ତାରିଖରେ କରାଯିବ ।