ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ସମ୍ପୂର୍ଣ୍ଣ ସଜାଗ ହୋଇଛି। ରାଜ୍ୟବ୍ୟାପୀ ସମସ୍ତ ଉଦ୍ଧାରକାରୀ ଦଳକୁ 'ହାଇଆଲର୍ଟ'ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଆଇଜି ଉମାଶଙ୍କର ଦାଶ ସମୀକ୍ଷା ବୈଠକ କରି ତିନୋଟି ରେଞ୍ଜରେ ଉଦ୍ଧାରକାରୀ ଟିମ୍କୁ ସଜାଗ ରଖିବାକୁ କହିଛନ୍ତି। ରାଜ୍ୟର ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯାଇଛି। ସେହିପରି ପ୍ରତ୍ୟେକ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖିବା ସହ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ସକ୍ରିୟ କରାଯାଇଛି।
ବନ୍ୟା କିମ୍ବା ଜଳବନ୍ଦୀ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟ ପାଇଁ ୩୨୪ଟି ମୋଟରଚାଳିତ ରବର ବୋଟ୍, ୩,୧୪୩ଟି ଲାଇଫ୍ ଜାକେଟ୍ ଏବଂ ୨,୭୧୨ଟି ଲାଇଫ୍ ବୁୟେ ପ୍ରସ୍ତୁତ ରଖାଯାଇଛି। ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ୯୫୨ଟି ହାଇ କ୍ୟାପାସିଟି ଓ ପୋର୍ଟେବଲ୍ ପମ୍ପ ସଜାଗ ଅବସ୍ଥାରେ ରହିଛି।
ପ୍ରବଳ ବର୍ଷା କିମ୍ବା ପବନ ଯୋଗୁଁ ଗଛ ଉପୁଡ଼ିବା ଓ ଘର କ୍ଷତିଗ୍ରସ୍ତ ହେଲେ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ୧,୫୫୧ଟି ଚେନ୍-ସ', ଅତ୍ୟାଧୁନିକ ହାଇଡ୍ରୋଲିକ୍ ରେସକ୍ୟୁ ଟୁଲ୍ସ ଏବଂ ରାତ୍ରିକାଳୀନ ଅପରେସନ୍ ପାଇଁ ୬୨୮ଟି ଟାୱାର ଲାଇଟ୍ ମହଜୁଦ ରହିଛି।
ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି ଯେ, ପ୍ରବଳ ବର୍ଷା କିମ୍ବା ସମ୍ଭାବ୍ୟ ବନ୍ୟା ପରିସ୍ଥିତିରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସର୍ବାଧିକ ପ୍ରାଥମିକତା ରହିବ। ସେଥିପାଇଁ ଯେକୌଣସି ଜରୁରୀ ସ୍ଥିତିରେ ତୁରନ୍ତ ଉଦ୍ଧାର ଓ ସହାୟତା କାର୍ଯ୍ୟ କରିବାକୁ ସମସ୍ତ ଟିମ୍କୁ ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି।