କଟକ: ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ପ୍ରସଙ୍ଗ ବର୍ତ୍ତମାନ ପ୍ରଶାସନିକ ସ୍ତରରୁ ଯାଇ ଥାନାରେ ପହଁଚିଛି । ଆଇନଜୀବୀ ନିଶିକାନ୍ତ ମିଶ୍ର କଟକ ଲାଲବାଗ ଥାନାରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ଫୌଜଦାରୀ ଏତଲା ଦାୟର କରିଛନ୍ତି ।
ଆଇନଜୀବୀ ଶ୍ରୀଯୁକ୍ତ ମିଶ୍ର ଅଭିଯୋଗ କରିଛନ୍ତି ଯେ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ରାଜକୋଷରୁ ୭୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ଏହା ଜନଧନର ଅପବ୍ୟୟ । ସରକାର ୧୬୦୦ରୁ ଅଧିକ ତ୍ରୁଟି ସ୍ୱୀକାର କରିଥିବା ବେଳେ ପ୍ରକୃତରେ ତ୍ରୁଟି ସଂଖ୍ୟା ୩ ହଜାରରୁ ଅଧିକ। ଏହି କ୍ଷତି ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ଆଦାୟ କରିବାକୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ପଛରେ ଷଡ଼ଯନ୍ତ୍ର ଥିବା ନିଜେ କହିଛନ୍ତି । ଏହି ଷଡ଼ଯନ୍ତ୍ରରେ କିଏ ସମ୍ପୃକ୍ତ ଓ ସେମାନଙ୍କ ବିରୋଧରେ କ’ଣ ପଦକ୍ଷେପ ନିଆଯାଇଛି, ତାହାର ମଧ୍ୟ ନିରପେକ୍ଷ ତଦନ୍ତ ଦାବି କରାଯାଇଛି ।