ଭୁବନେଶ୍ୱର: ଓଡ଼ିଶାରେ ୬୭ ହଜାର କୋଟିର ମେଗା ନିବେଶ। ସ୍ୱଚ୍ଛ ଶକ୍ତି ଓ ଶିଳ୍ପ ବିକାଶ କ୍ଷେତ୍ରରେ ଜାପାନର ପ୍ରମୁଖ କମ୍ପାନୀ IHI କର୍ପୋରେସନ୍ ଏବଂ ଭାରତର ACME ଗ୍ରୁପ୍ ସହ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ମେମୋରାଣ୍ଡମ୍ ଅଫ୍ କୋଅପରେସନ୍ (MoC) ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ରାଜ୍ୟରେ ସବୁଜ ଶକ୍ତି, ଆଧୁନିକ ଶିଳ୍ପ ଓ ନିଯୁକ୍ତି ସୃଷ୍ଟିକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।
ଏହି ସହଯୋଗ ଅଧୀନରେ ଓଡ଼ିଶାରେ ମୋଟ ୬୭ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ରହିଛି। ଏହା ମାଧ୍ୟମରେ ପ୍ରାୟ ୭ ହଜାର ଲୋକଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ଗୋପାଳପୁର-ଟାଟା SEZରେ ୨୦ ହଜାର କୋଟି ଟଙ୍କା ବ୍ୟୟରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରାଯିବ। ଏଥିରେ ପ୍ରାୟ ୩,୪୦୦ ଜଣଙ୍କୁ ଚାକିରି ମିଳିବ। ଏହା ସହ ୧,୦୦୦ କୋଟି ଟଙ୍କାର ଫ୍ଲୋଟିଂ ଟର୍ମିନାଲ୍ ମଧ୍ୟ ନିର୍ମାଣ କରାଯିବ।
ସେହିପରି ପାରାଦୀପରେ ୩୪ ହଜାର କୋଟି ଟଙ୍କା ବିନିଯୋଗରେ ୦.୮ MTPA ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ ପ୍ରସ୍ତାବ ରହିଛି। ଏହା ମାଧ୍ୟମରେ ୩,୬୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହାଛଡ଼ା ୧୨ ହଜାର କୋଟି ଟଙ୍କାର ମେଥାନଲ୍ ପ୍ରକଳ୍ପ ମଧ୍ୟ ସ୍ଥାପନ କରାଯିବ।
ଭୁବନେଶ୍ୱରରେ ଜାପାନୀ ପ୍ରତିନିଧିମଣ୍ଡଳ ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, 'ସମୃଦ୍ଧ ଓଡ଼ିଶା-୨୦୩୬' ଏବଂ 'ବିକଶିତ ଭାରତ-୨୦୪୭' ଲକ୍ଷ୍ୟ ପୂରଣରେ ଏହି ସହଯୋଗ ଗୁରୁତ୍ୱପୂର୍ଣ୍ଣ ହେବ। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିବେଶକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି।
IHI କର୍ପୋରେସନ୍ର ସଭାପତି ହିରୋଶି ଇଡେ ଓଡ଼ିଶାର ଶିଳ୍ପ ସମ୍ଭାବନା ଏବଂ ସବୁଜ ବିକାଶ ନୀତିର ପ୍ରଶଂସା କରିଥିବାବେଳେ, ACME ଗ୍ରୁପ୍ର ଅଧ୍ୟକ୍ଷ ମନୋଜ ଉପାଧ୍ୟାୟ କହିଛନ୍ତି ଯେ, ଓଡ଼ିଶାକୁ ବିଶ୍ୱସ୍ତରୀୟ ସ୍ୱଚ୍ଛ ଶକ୍ତି କେନ୍ଦ୍ରରେ ପରିଣତ କରିବା ଦିଗରେ ଏହି ଚୁକ୍ତି ଏକ ବଡ଼ ପଦକ୍ଷେପ।
ଏହି ମେଗା ନିବେଶ ଫଳରେ ରାଜ୍ୟରେ ଶିଳ୍ପ ବିକାଶ ସହ MSME, ଆନୁଷଙ୍ଗିକ ଶିଳ୍ପ, ପ୍ରଯୁକ୍ତି ସ୍ଥାନାନ୍ତର ଏବଂ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ଦ୍ୱାର ଖୋଲିବ ବୋଲି ଆଶା କରାଯାଉଛି।