ନୂଆଦିଲ୍ଲୀ: ନିକାହ, ତିନି ତଲାକ ଏବଂ ହଲାଲାର ଆଢ଼ୁଆଳରେ ଯୌନ ଶୋଷଣ କରିବାକୁ କଦାପି ଅନୁମତି ମିଳିବ ନାହିଁ । ଏକ ବ୍ୟକ୍ତିଗତ ଆଇନ ପାଇଁ ଏଭଳି ଅପରାଧକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏଭଳି ପ୍ରଥା ସମାଜ ପାଇଁ ‘କଳା ପୃଷ୍ଠା’ । ଏକ ନିକାହ ହଲାଲା ମାମଲାର ଶୁଣାଣି କରି ଏଭଳି କଡ଼ା ଟିପ୍ପଣୀ ଦେଇଛନ୍ତି ମାନ୍ୟବର ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ।
ନ୍ୟାୟମୂର୍ତ୍ତି ଜେ.ଜେ ମୁନୀର ଏବଂ ନ୍ୟାୟମୂର୍ତ୍ତି ତରୁଣ ସକ୍ସେନାଙ୍କ ଖଣ୍ଡପୀଠ ହଲାଲାକୁ ନେଇ ଏକ ନାବାଳିକା ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିଛନ୍ତି । ହାଇକୋର୍ଟ ସ୍ପଷ୍ଟଭାବରେ କହିଛନ୍ତି ଯେ ବ୍ୟକ୍ତିଗତ ଆଇନର ଦ୍ୱାହି ଦେଇ ଏଭଳି ଅପରାଧକୁ କଦାପି ସୁରକ୍ଷା ଦିଆଯାଇପାରିବ ନାହିଁ । ବହୁ ବିବାହ ଏବଂ ହଲାଲା ଭଳି ମାମଲାକୁ ଅଦାଲତ ଗଣ ଦୁଷ୍କର୍ମ ଭାବରେ ଅଭିହିତ କରିଛନ୍ତି ଦୃଢ଼ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତତସହିତ ପୁଣି ଥରେ ହଲାଲା ପାଇଁ ଚାପ ପକାଉଥିବା ନାବାଳିକାଙ୍କ ପୂର୍ବତନ ସ୍ୱାମୀ, ଦାଦା, ମୌଲାନା ଏବଂ ଅନ୍ୟ ଆରୋପୀଙ୍କ ଗିରଫଦାରୀ ଟାଳିବାକୁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ।
ଉତ୍ତର ପ୍ରଦେଶ ଅମରୋହାର ସୈଦନାଗାଲି ଥାନା ଅଞ୍ଚଳରେ ଜଣେ ମସୁଲିମ ସମ୍ପ୍ରଦାୟର ନାବାଳିକାକୁ ଚାପ ପ୍ରୟୋଗ କରି ଦୁଇ ଥର ନିକାହ (ବିବାହ), ଦୁଇ ଥର ତଲାଖ (ଛାଡ଼ପତ୍ର) ଏବଂ ଦୁଇ ଥର ହଲାଲା କରିବାକୁ ବାଧ୍ୟ କରାଯାଇଛି । ଏ ନେଇ ନାବାଳିକା ଜଣକ ପୂର୍ବତନ ସ୍ୱାମୀଙ୍କ ସହିତ ଅନ୍ୟମାନଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । କିନ୍ତୁ ଅଭିଯୁକ୍ତମାନେ ମାମଲାକୁ ରଦ୍ଦ କରିବାକୁ ଏବଂ ଗିରଫଦାରୀ ଉପରେ ରୋକ୍ ଲଗାଇବାକୁ ଯାଚିକା ଦାଖଲ କରିଛନ୍ତି । ହାଇକୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କ ଉପରେ ଖୁବ ବର୍ଷିଛନ୍ତି । ମାମଲାରେ ଅଭିଯୁକ୍ତଙ୍କ ଭୂମିକା ଆଇନ ବିରୁଦ୍ଧ ତାହା ସ୍ପଷ୍ଟ ଭାବରେ ଦିଶୁଛି, ତେଣୁ ପ୍ରାଥମିକ ପର୍ୟ୍ୟାୟରେ ମାମଲା ରଦ୍ଦ କରିବାକୁ କୌଣସି ଠୋସ୍ କାରଣ ପରିଲକ୍ଷିତ ହେଉନାହିଁ । ଆରମ୍ଭରୁ ସ୍ପଷ୍ଟ ହୋଇଛି ଯେ ପୀଡ଼ିତା ଜଣକ ନାବାଳିକା ଥିବା ସମୟରେ ତାଙ୍କ ସହିତ ଦୁଷ୍କର୍ମ ହୋଇଛି । ହଲାଲା ନାମରେ ମଧ୍ୟ ଗଣଦୁଷ୍କର୍ମ ହିଁ କରାଯାଇଛି । ଏଥିରେ ମୁସଲିମ୍ ପର୍ସନାଲ୍ ଲକୁ ଦଲୀଲ ଭାବରେ ଉପସ୍ଥାପନା କରାଯାଇପାରିବ ନାହିଁ । ତେଣୁ ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
କ’ଣ ରହିଛି ପୂରା ମାମଲା ?
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୫ରେ ସେ ନାବାଳିକା ଥିବା ସମୟରେ ଅଜହର ନୱାଜ (ମୁଖ୍ୟ ଅଭିଯୁକ୍ତ)ଙ୍କ ସହିତ ତାଙ୍କର ଜୋର ଜବରଦସ୍ତି ବିବାହ ହୋଇଥିଲା । କିନ୍ତୁ ୨୦୧୬, ଜାନୁଆରୀରେ ଅଜହର ପୀଡ଼ିତାକୁ ତିନି ତଲାକ ଦେଇଥିଲେ । ସେତେବେଳେ ଦେଶରେ ତିନି ତଲାକ ଆଇନ କାର୍ୟ୍ୟକାରୀ ହେଉଥିଲା । ଏହା ପରେ ପୁଣି ଥରେ ଅଜହରର ମନ ପରିବର୍ତ୍ତନ ହୋଇଥିଲା ଏବଂ ସେ ପୀଡ଼ିତାଙ୍କୁ ପୁଣି ଥରେ ବିବାହ କରିବାକୁ କହିଥିଲେ । କିନ୍ତୁ ମୁସଲିମ ଧର୍ମ ଅନୁସାରେ ନାବାଳିକାଙ୍କୁ ପୂର୍ବ ସ୍ୱାମୀଙ୍କୁ ପୁଣି ଥରେ ବିବାହ କରିବାକୁ ହେଲେ ହଲାଲା କରିବାକୁ ପଡ଼ିବ । ଅର୍ଥାତ ତାଙ୍କୁ ଆଉ ଜଣଙ୍କୁ ବିବାହ କରି ପୂର୍ବ ସ୍ୱାମୀଙ୍କ ପାଖକୁ ଆସିବାକୁ ହେବ । ନିଜ ଇଚ୍ଛା ବିରୁଦ୍ଧରେ ପୀଡ଼ିତା ନାବାଳିକାଙ୍କର ନିକାହ ହଲାଲା କରାଯାଇଥିଲା । ସେତେବେଳେ ମଧ୍ୟ ତାଙ୍କ ବୟସ ମାତ୍ର ୧୬ ବର୍ଷ ଥିଲା ।
ଏହା ପରେ ୨୦୧୭ରେ ପୀଡ଼ିତା ନିଜ ପୂର୍ବ ସ୍ୱାମୀ ଅଜହରଙ୍କ ପାଖକୁ ଆସିଥିଲେ । ୪ ବର୍ଷ ପରେ ପୁଣି ଥରେ ଅଜହର ତାଙ୍କୁ ତିନି ତଲାକ ଦେଇଥିଲେ ଏବଂ ଦ୍ୱିତୀୟ ବିବାହ କରିଥିଲେ । ମାତ୍ର ଦ୍ୱିତୀୟ ପତ୍ନୀଙ୍କ ପିଲା ନ ହେବାରୁ ପୀଡ଼ିତାଙ୍କୁ ପୁଣି ଥରେ ବିବାହ କରିବାକୁ କହିଥିଲେ । ପରିବାର ଲୋକେ ମଧ୍ୟ ପୀଡ଼ିତାଙ୍କୁ ବୁଝାସୁଝା କରିଥିଲେ । ସେହି ପ୍ରଥା, ତାଙ୍କୁ ଆଉ ଦୁଇ ଥର ନିକାହ ହଲାଲା କରିବାକୁ ବାଧ୍ୟ କରାଯାଇଥିଲା । ଯେହେତୁ ଦୁଇ ଦୁଇ ଥର ବିବାହ ଭାଙ୍ଗିଛି, ତେଣୁ ଦୁଇ ଥର ନିକାହ ହଲାଲା କରିବାକୁ ପଡ଼ିବ ବୋଲି ମୌଲାନା କହିଥିଲେ । ୨୦୨୫, ଫେବୃଆରୀ ୧୯ରେ ଅଜହରର ଭାଇ ଏବଂ ପୁତୁରା ଜୋର ଜବରଦସ୍ତି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ । ଏହା ପରେ ତାଙ୍କ ସହିତ ବିବାହ କରିଥିଲେ ।