ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ଆତଙ୍କବାଦୀ ନିରୋଧ ସଂସ୍ଥା ବା ଏଟିଏସକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଛି । ଶୁକ୍ରବାର ଗୁଜରାଟ ଏଟିଏସ୍ ଏକ ଆତଙ୍କୀ ମଡ୍ୟୁଲ୍ ପର୍ଦ୍ଦାଫାସ କରିଛି । ଏଟିଏସ୍ ଗୁଜରାଟ ଏବଂ ମଧ୍ୟ ପ୍ରଦେଶର ବିଭିନ୍ନ ସ୍ଥାନରୁ ୮ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି । ସମସ୍ତେ ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ସହିତ ଜଡ଼ିତ ଅଛନ୍ତି । ଗୁଜରାଟରେ ଆତଙ୍କବାଦୀର ନେଟୱାର୍କ ସକ୍ରିୟ ଏବଂ ବଢ଼ାଇବାକୁ ଏମାନେ କାମ କରୁଥିଲେ ବୋଲି ଏଟିଏସ୍ ଅଧିକାରୀ ସୂଚନା ଦେଇଛନ୍ତି ।
ଗିରଫ ହୋଇଥିବା ୮ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ୭ ଜଣ ଗୁଜରାଟର ବାସିନ୍ଦା ହୋଇଥିବାବେଳେ ଜଣେ ମଧ୍ୟପ୍ରଦେଶର ଅଟନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଗୁଜରାଟ ବନାସକାଣ୍ଠାସ୍ଥିତ ପାଲନପୁରର ଅହମ୍ମଦ ଗାଜୀୱାଲା ଓରଫ୍ ଅବୁ ଉବୈଦା (୧୯), ଇବ୍ରାହିମ ଓରଫ୍ ଅବୁ ହମଜା (୩୦) ଓ ମୁଦାସିର ଅବଦୁଲ୍ଲା ଓରଫ୍ ଅବୁ ଆୟା (୨୨), ପାଟନ ସିଦ୍ଧପୁର ଜାମିୟା ଅବୁଲ ହସନ ମଦରସାର ଜକାରିୟା ଦୁରାନୀ ମହମ୍ମଦ ଅମାର (୨୧), ମୁଫତୀ ଫୌଜାନ (୪୦) ଓ ମହମ୍ମଦ ଅମୀନ ଶେରା (୨୧), ନବସାରୀ ଅମ୍ବାହେଟାସ ନିବାସୀ ମହମ୍ମଦ ଅବଦୁଲ (୨୨) ଏବଂ ମଧ୍ୟ ପ୍ରଦେଶ ଦେବାସ ଜିଲ୍ଲାର ବାରସୀ ନଗରର ବାସିନ୍ଦା ବିଲାଲ ମହମ୍ମଦ (୧୮) । ଗିରଫ ସନ୍ଦିଗ୍ଧମାନେ ଗୁଜୁରାଟରେ ସେମାନଙ୍କର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା ପାଇଁ ଜୈଶ-ଏ-ମହମ୍ମଦର ଏକ ସକ୍ରିୟ ନେଟୱାର୍କ ସ୍ଥାପନ କରିବାକୁ କାମ କରୁଥିଲେ। ଏଟିଏସ୍ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ଏକ ମାମଲା ପଞ୍ଜିକୃତ କରିଛି । ଏହା ସହିତ, ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ଏବଂ ଅପରାଧିକ ଷଡ଼ଯନ୍ତ୍ର ସହିତ ଜଡିତ ଭାରତୀୟ ନ୍ୟାୟ ସଂହିତାର ଧାରା ଲାଗୁ କରାଯାଇଛି। ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ UAPAର ଧାରା ୧୩, ୧୭, ୧୮, ୩୮, ଏବଂ ୩୯ ଏବଂ ବିଏନ୍ଏସ୍ ଧାରା ୧୪୮ ଏବଂ ୬୧ ଅନୁଯାୟୀ ମାମଲା ରୁଜୁ କରାଯାଇଛି ।
ଅଧିକାରୀମାନେ କହିଛନ୍ତି ଯେ ଏହି ଗୋଷ୍ଠୀ ନୂତନ ସଦସ୍ୟଙ୍କୁ ନିଯୁକ୍ତି ଦେବା, ଉଗ୍ରବାଦୀ ଚିନ୍ତାଧାରାର ପ୍ରଚାର କରିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ସମର୍ଥନ ନେଟୱାର୍କ ସ୍ଥାପନ କରିବାରେ ନିୟୋଜିତ ଥିଲା। ଏହି ସଂଗଠନ ଗୁଜୁରାଟରେ ଏହାର କାର୍ଯ୍ୟକ୍ଷମ ନେଟୱାର୍କକୁ ସୁଦୃଢ଼ କରି ଏକ ସଂଗଠିତ ଜେଇଏମ୍ ମଡ୍ୟୁଲ୍ ସ୍ଥାପନ କରିବାକୁ ଚେଷ୍ଟା କରୁଥିଲା । ଏହି ମଡ୍ୟୁଲ୍ ଗୁଜରାଟ ଏବଂ ଭାରତର ଅନ୍ୟାନ୍ୟ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟାଇବା ପାଇଁ ପ୍ରସ୍ତୁତି କରୁଥିଲା । ଏମାନେ କାହାକୁ ଯୋଗାଯୋଗ କରୁଥିଲେ, କେଉଁଠୁ ପାଣ୍ଠି ଆସୁଥିଲା, ନିଯୁକ୍ତି ଏବଂ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଅନ୍ୟ ତଥ୍ୟ ସମ୍ପର୍କରେ ତଦନ୍ତ ଜାରି ରଖିଛି ।