ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ଡାକ୍ତରଙ୍କ ଧର୍ମଘଟ ମଧ୍ୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସମୟରେ ଡାକ୍ତର ନମିଳିବାରୁ ୪ ବର୍ଷର ଜଣେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ତାଙ୍କ ପରିବାର ଲୋକେ କରିଛନ୍ତି।
ସୂଚନା ଅନୁସାରେ, ପାଟଣାଗଡ଼ର ଗଡ଼ଭିତର ପଡ଼ାର ବାସିନ୍ଦା ହିଟଲର ଥନାପତିଙ୍କ ୪ ବର୍ଷର ଶିଶୁପୁତ୍ର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ପାଟଣାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉପସ୍ଥିତ ନଥିବାରୁ ଶିଶୁକୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପହଞ୍ଚିବା ପରେ ଡ୍ୟୁଟିରେ ଥିବା ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
ପରିବାରର ଅଭିଯୋଗ ହେଉଛି, ମାତୃ ଓ ଶିଶୁ ଚିକିତ୍ସାଳୟରେ ଯଦି ଡାକ୍ତର ଉପସ୍ଥିତ ଥାଆନ୍ତେ ଏବଂ ତୁରନ୍ତ ଚିକିତ୍ସା ମିଳିଥାଆନ୍ତା, ତେବେ ଶିଶୁର ଜୀବନ ବଞ୍ଚିଯାଇପାରିଥାନ୍ତା। ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ସାଧାରଣ ଲୋକ ଚିକିତ୍ସା ସେବାରୁ ବଞ୍ଚିତ ହେଉଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ତେବେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟର SDMO କହିଛନ୍ତି ଯେ, ଶିଶୁଟିକୁ ହସ୍ପିଟାଲକୁ ଆଣିବା ବେଳକୁ ସେ 'ରିସିଭ୍ଡ ଡେଡ୍' ଅବସ୍ଥାରେ ଥିଲା। ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ସରକାରୀ ସ୍ୱାସ୍ଥ୍ୟସେବାକୁ ନେଇ ପୁଣି ପ୍ରଶ୍ନ ଉଠିଛି।