ପୁରୀ: ଆସନ୍ତା ଗୁଣ୍ଡିଚାଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶକୁ ଦୃଷ୍ଟିରେ ରଖି ରଥଯାତ୍ରାର ସାମଗ୍ରିକ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତା ୬ ତାରିଖ ପୂର୍ବାହ୍ନ ୧୦ଟା ୧୫ ମିନିଟ୍ରେ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
ଏହି ବୈଠକରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ନୀତିକାନ୍ତି ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପାଦନ ଉପରେ ବିଶେଷ ଆଲୋଚନା ହେବ। ସେହିପରି ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯିବ।
ବିଶେଷକରି ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ୍ ପରିଚାଳନା, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ଜରୁରୀକାଳୀନ ସହାୟତା ଓ ଅନ୍ୟାନ୍ୟ ମୌଳିକ ସୁବିଧା ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତୁତିକୁ ନେଇ ବିସ୍ତୃତ ସମୀକ୍ଷା ହେବ।
ରଥଯାତ୍ରାର ଅବଶିଷ୍ଟ ପର୍ବଗୁଡ଼ିକ ଯେପରି ସୁରୁଖୁରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେବ, ସେଥିପାଇଁ ସମ୍ପୃକ୍ତ ସମସ୍ତ ବିଭାଗର ପ୍ରସ୍ତୁତି ଓ ସମନ୍ୱୟକୁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ। ଆବଶ୍ୟକ ସ୍ଥଳେ ଅଧିକ ସୁବିଧା ଓ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମଧ୍ୟ ଆଲୋଚନା ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।