କୋରାପୁଟ: ମାଓବାଦୀ ବିରୋଧୀ ଅଭିଯାନରେ କୋରାପୁଟ ପୁଲିସକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଗତ ୧୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜିଲ୍ଲା ପୁଲିସର ଡିଷ୍ଟ୍ରିକ୍ଟ ଭଲଣ୍ଟିୟର ଫୋର୍ସ (ଡିଭିଏଫ୍) ଯବାନମାନେ ମାଓବାଦୀଙ୍କ ଏକ ଗୁପ୍ତ ଡମ୍ପ ଠାବ କରି ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି।
ଗୁପ୍ତ ସୂଚନା ଆଧାରରେ ଡିଭିଏଫ୍ର ୨୫ ଜଣିଆ ଟିମ୍ କୋରାପୁଟ-ମାଲକାନଗିରି ସୀମାନ୍ତ ବୈପାରୀଗୁଡ଼ା ଅଞ୍ଚଳର ତେନ୍ତୁଳିଗୁମା ଜଙ୍ଗଲରେ ଚଢ଼ାଉ କରିଥିଲା। ସର୍ଚ୍ଚ ଅପରେସନ୍ ବେଳେ ମାଓବାଦୀଙ୍କ ଲୁଚାଇ ରଖାଯାଇଥିବା ଏକ ଡମ୍ପ ଠାବ ହୋଇଥିଲା। ସେଠାରୁ ୬ଟି ଦେଶୀ ବନ୍ଦୁକ, ୧୧ଟି ଟିଫିନ୍ ବୋମା, ବାରୁଦ, ଗୁଳି, ବନ୍ଦୁକର ସାମଗ୍ରୀ, ମାଓବାଦୀ ସାହିତ୍ୟ, ଗୋଟିଏ କ୍ୟାମେରା ଓ ୨ଟି ଫ୍ଲାସ୍ ଲାଇଟ୍ ଜବତ କରାଯାଇଛି।
ପ୍ରାଥମିକ ତଦନ୍ତରୁ ଏହି ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ରକୁ ମାଓବାଦୀମାନେ ଭବିଷ୍ୟତରେ ନାଶକତାମୂଳକ କାର୍ଯ୍ୟକଳାପ ପାଇଁ ଗଚ୍ଛିତ ରଖିଥିବା ସନ୍ଦେହ କରାଯାଉଛି। ଜବତ ସମସ୍ତ ସାମଗ୍ରୀକୁ ସୁରକ୍ଷିତ ଭାବେ ଜବତ କରାଯାଇଥିବା ବେଳେ ଏହାକୁ ନେଇ ତଦନ୍ତ ଜାରି ରହିଛି।
କୋରାପୁଟ ଏସ୍ପି ରୋହିତ ବର୍ମା କହିଛନ୍ତି ଯେ, ମାଓବାଦୀଙ୍କ ଗତିବିଧି ଉପରେ ପୁଲିସର କଡ଼ା ନଜର ରହିଛି। ସୀମାନ୍ତ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଓ ସର୍ଚ୍ଚ ଅପରେସନ୍କୁ ଆହୁରି ଜୋରଦାର କରାଯାଇଛି। ଅଞ୍ଚଳରେ ଆଉ କୌଣସି ଡମ୍ପ କିମ୍ବା ମାଓବାଦୀଙ୍କ ଉପସ୍ଥିତି ରହିଛି କି ନାହିଁ, ସେନେଇ ସୁରକ୍ଷାବାହିନୀ ତନାଘନା ଜାରି ରଖିଛି।
ଲଗାତାର ଦ୍ୱିତୀୟ ଥର ମାଓବାଦୀଙ୍କ ଡମ୍ପ ଠାବ ହେବାକୁ ସୁରକ୍ଷାବାହିନୀ ପାଇଁ ବଡ଼ ସଫଳତା ବୋଲି ମନେ କରାଯାଉଛି। ଏହା ଦ୍ୱାରା ସୀମାନ୍ତ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ଉପରେ ବଡ଼ ଧରଣର ଆଘାତ ଲାଗିଥିବା ଆକଳନ କରାଯାଉଛି।