ଭୁବନେଶ୍ୱର: ପ୍ରଥମେ ମୁହଁ ଟାଣ ଦେଖାଇବା ପରେ ଏବେ ଆଲୋଚନାକୁ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତିନି ଦିନର ଆନ୍ଦୋଳନ ପରେ ଶେଷରେ ଆନ୍ଦୋଳନରତ ଓଡ଼ିଶା ମେଡିକାଲ ସେବା ସଂଘ ସହିତ ଆଲୋଚନା ପାଇଁ ସରକାର ରାଜି ହୋଇଛନ୍ତି । ଆସନ୍ତାକାଲି ସାଢ଼େ ଏଗାରଟା ସମୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଘ ସହିତ ବୈଠକ ବସିବ ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଏବଂ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜିବ କୁମାର ପ୍ରଧାନକୁ ଆଲୋଚନା ପାଇଁ ଚିଠି ଲେଖିଛନ୍ତି । ଆନ୍ଦୋଳନକୁ ବନ୍ଦ କରି ଆଲୋଚନାରେ ଯୋଗ ଦେବାକୁ କୁହାଯାଇଛି । ବିଭାଗୀୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ କାର୍ଯ୍ୟାଳୟରେ ବୈଠକ ବସିବ । ସଂଘର ଦାବି ସମ୍ପର୍କରେ ଆଲୋଚନା କରାଯିବ ।
୧୮ଦଫା ଦାବି ନେଇ ଓଏମ୍ଏଚ୍ଏସ୍ କ୍ୟାଡର୍ ଡାକ୍ତରମାନେ ଗଲା ତିନି ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି । ସେପଟେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ରୋଗୀ ସେବା ବ୍ୟାହତ ହେଇଛି । ଡାକ୍ତରଙ୍କ ୧୮ ଦଫା ଦାବି ମଧ୍ୟରେ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା, କେନ୍ଦ୍ରୀୟ ହାରରେ ଡିଏସିପି ପଦୋନ୍ନତି ଦେବା, କ୍ୟାଡର ପୁନର୍ଗଠନ, ସବୁ ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ବୀମା, କେଭିକେରୁ ଡାକ୍ତରମାନଙ୍କୁ ଏକଜିଟ୍ ପଲିସିରେ ଅନ୍ୟ ସ୍ଥାନକୁ ବଦଳି, ନବନିଯୁକ୍ତ ଡାକ୍ତରଙ୍କ ପାଇଁ ବାସଗୃହ ନିର୍ମାଣ ଆଦି ରହିଛି । ଯଦି ଆଗାମୀ ଦିନରେ ଦାବୀପୂରଣ ନହୁଏ ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନଟି ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଲା ଓମସା ପକ୍ଷରୁ ଚେତାବନୀ ଦିଆଯାଇଛି।
ଏହା ପରେ ଗତକାଲି ରାଜ୍ୟ ସରକାର ଆନ୍ଦୋଳନ ଡାକ୍ତରଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଆନ୍ଦୋଳନରତ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଚାକିରୀରୁ ନିବୃତ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଓମସା ପାଲଟା ଚେତାବନୀରେ କହିଥିଲା ଯେ ଆସନ୍ତାକାଲି ଠାରୁ ଏକ ଘଣ୍ଟା ଓପିଡ଼ି ସେବା ମଧ୍ୟ ବନ୍ଦ ରହିବ । ଯେପର୍ଯ୍ୟନ୍ତ ସରକାର ଦାବି ମାନି ନେଇ ନାହାଁନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଓମସା କହିଥିଲା ।