ବାଲେଶ୍ୱର: ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଆଧାର କରି ଗରିବ ଓ ଅସହାୟ ଲୋକଙ୍କୁ ଠକିବାର ଅଭିଯୋଗ ପୁଣିଥରେ ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବାରବାଟିଆ ପଞ୍ଚାୟତ ଅଧୀନ କୁକୁଡ଼ିଆ ଗାଁରେ ଜଣେ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ମିଳିଥିବା ୩ ଲକ୍ଷ ଟଙ୍କା ବୀମା ରାଶିରୁ ୨ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଚନ୍ଦନେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କୁକୁଡ଼ିଆ ଗାଁର ସଞ୍ଜୟ କୁମାର ମଣ୍ଡଳ ଜଣେ ପଞ୍ଜିକୃତ ନିର୍ମାଣ ଶ୍ରମିକ ଥିଲେ। ଗତ ୧୧ ମାର୍ଚ୍ଚ ୨୦୨୫ରେ ତାଙ୍କର ମୃତ୍ୟୁ ହୋଇଥିଲା। ନିୟମ ଅନୁଯାୟୀ, ତାଙ୍କ ପତ୍ନୀ କନକଲତା ମଣ୍ଡଳଙ୍କୁ ସରକାରଙ୍କ ପକ୍ଷରୁ ୩ ଲକ୍ଷ ଟଙ୍କା ବୀମା ସହାୟତା ମଞ୍ଜୁର ହୋଇଥିଲା।
ଅଭିଯୋଗ ଅନୁଯାୟୀ, ଗାଁରେ ଜନସେବା କେନ୍ଦ୍ର ଚଳାଉଥିବା ଜନ୍ମେଜୟ ପଣ୍ଡା ବୀମା ଟଙ୍କା ଆଣିଦେବା ନାଁରେ କନକଲତାଙ୍କଠାରୁ ସମସ୍ତ କାଗଜପତ୍ର ନେଇଥିଲେ। ତାଙ୍କ ପରାମର୍ଶରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ଏକ ନୂଆ ଖାତା ଖୋଲାଯାଇଥିଲା। ହେଲେ ବ୍ୟାଙ୍କ ପାସବୁକ ଓ ଚେକବୁକକୁ ଜନ୍ମେଜୟ ନିଜ ପାଖରେ ରଖିଥିବା ଅଭିଯୋଗ ହୋଇଛି।
ଗତ ୨ ମଇରେ କନକଲତାଙ୍କ ଖାତାକୁ ୩ ଲକ୍ଷ ଟଙ୍କା ଜମା ହୋଇଥିଲା। ମାତ୍ର ପରେ ଚେକରେ ଜାଲ୍ ଦସ୍ତଖତ କରି ୨ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି। କିଛି ଦିନ ପୂର୍ବରୁ ବ୍ୟାଙ୍କକୁ ଯାଇ ଖାତା ଯାଞ୍ଚ କରିବା ପରେ କନକଲତା ଏହି ଠକେଇ ସମ୍ପର୍କରେ ଜାଣିପାରିଥିଲେ। ପରେ ସେ ବ୍ୟାଙ୍କ ପାସବୁକ ଓ ଚେକବୁକ ଫେରାଇ ଆଣି ଚନ୍ଦନେଶ୍ୱର ଫାଣ୍ଡିରେ ଏତଲା ଦେଇଥିଲେ।
ତଦନ୍ତ ଆରମ୍ଭ ହେବା ପରେ ଅଭିଯୁକ୍ତ ଜନ୍ମେଜୟ ପଣ୍ଡା ସମଝୌତା ପାଇଁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ, ଫୋନ୍ରେ ପ୍ରତିକ୍ରିୟା ଦେଇ ଜନ୍ମେଜୟ କହିଛନ୍ତି ଯେ, ସେ ଏକା ଏହି ଅର୍ଥ ନେଇନାହାନ୍ତି, ବରଂ "ଉପରିସ୍ଥ ଅଧିକାରୀଙ୍କୁ ମଧ୍ୟ ଦେବାକୁ ପଡ଼େ"।
ଏହି ଘଟଣା ପରେ ସରକାରୀ କଲ୍ୟାଣ ଯୋଜନାରେ ଦଲାଲ ଚକ୍ର ସକ୍ରିୟ ଥିବା ନେଇ ପ୍ରଶ୍ନ ଉଠିଛି। କେବଳ କନକଲତା ନୁହେଁ, ଅନେକ ଗରିବ ହିତାଧିକାରୀ ଏଭଳି ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଜଡ଼ିତ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ସମ୍ଭାବ୍ୟ ରାକେଟର ପର୍ଦ୍ଦାଫାସ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।