ଭୁବନେଶ୍ୱରରେ ମାତ୍ର ୨୦ ହଜାର ଟଙ୍କା ପାଇଁ ଅପହରଣର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବିରିୟାନି ଖୁଆଇବାର ଲୋଭ ଦେଖାଇ ୧୭ ବର୍ଷୀୟ ନାବାଳକଙ୍କୁ ଅପହରଣ କରି ମୁଣ୍ଡ ଜାମିନ ଭାବେ ୨୦ ହଜାର ଟଙ୍କା ଦାବି କରିଥିଲେ ଦୁର୍ବୃତ୍ତ। ଏହି ଘଟଣା ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି।
ଗତ ଜୁଲାଇ ୨ ତାରିଖରେ ନାବାଳକ ଜଣକ ବିରିୟାନି କିଣିବାକୁ ସହିଦନଗର ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଡାକି ଏକ ନିଛାଟିଆ ସ୍ଥାନକୁ ନେଇଥିଲେ। ସେଠାରେ ବାଦାମି ଚିନି ଆଣିବାକୁ କହିଥିଲେ। ନାବାଳକ ବିରୋଧ କରିବାରୁ ତାଙ୍କୁ ମାଡ଼ ମାରି ୧,୮୦୦ ଟଙ୍କା ଛଡ଼ାଇ ନେଇଥିଲେ। ପରେ ଏକ ଅଟୋରେ ବସାଇ ଭିଏସଏସ୍ ନଗରର ତାନି ବସ୍ତିକୁ ନେଇ ଅଟକ ରଖିଥିଲେ।
ଏହାପରେ ଅଭିଯୁକ୍ତମାନେ ନାବାଳକଙ୍କ ଭଉଣୀଙ୍କୁ ଫୋନ୍ କରାଇ ୨୦ ହଜାର ଟଙ୍କା ମୁଣ୍ଡ ଜାମିନ ଦାବି କରିଥିଲେ। ଟଙ୍କା ନ ଦେଲେ ନାବାଳକଙ୍କୁ ହତ୍ୟା କରି ମୃତଦେହ ଫିଙ୍ଗି ଦେବାକୁ ଧମକ ମଧ୍ୟ ଦେଇଥିଲେ।
ଅଭିଯୋଗ ପାଇବା ମାତ୍ରେ ସହିଦନଗର ପୋଲିସ ତୁରନ୍ତ ଆକ୍ସନକୁ ଆସି ଚଢ଼ାଉ କରି ନାବାଳକଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏହି ଘଟଣାରେ ମନାସ ସିଂ ଓରଫ ମନିଆ, ମିଟୁ ନାୟକ, ମାନସ ରଞ୍ଜନ ସ୍ୱାଇଁ ଓ ରାଜେଶ ସାହୁଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ବିଏନଏସ୍ର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିବା ବେଳେ ଏହି ଘଟଣା ରାଜଧାନୀରେ ଅପରାଧୀଙ୍କ ବଢ଼ୁଥିବା ସାହସକୁ ପୁଣିଥରେ ସାମ୍ନାକୁ ଆଣିଛି।