ଢେଙ୍କାନାଳ: ଢେଙ୍କାନାଳ ସହରରେ ସ୍ମାର୍ଟ ମିଟର ସ୍ଥାପନକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ସହରର କୁଞ୍ଜକାନ୍ତ ଅଞ୍ଚଳରେ ବିଦ୍ୟୁତ ବିଭାଗର କାର୍ଯ୍ୟକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଏକାଠି ହୋଇ ଜୋରଦାର ପ୍ରତିବାଦ କରିଥିଲେ। ଏପରିକି କିଛି ସ୍ଥାନରେ ଲାଗିଥିବା ସ୍ମାର୍ଟ ମିଟର ଏବଂ ବିଦ୍ୟୁତ ଖୁଣ୍ଟରେ ସ୍ଥାପିତ LTSB ଡିସ୍ଟ୍ରିବ୍ୟୁସନ ବକ୍ସକୁ ମଧ୍ୟ ଭାଙ୍ଗି ଦେଇଥିଲେ। ପ୍ରତିବାଦ ସମୟରେ ଲୋକମାନେ ଢେଙ୍କାନାଳ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଓ ସମ୍ପୃକ୍ତ ଜେଇଙ୍କୁ ଘେରାଉ କରି ନିଜ ଅସନ୍ତୋଷ ପ୍ରକାଶ କରିଥିଲେ।
ସ୍ଥାନୀୟ ଉପଭୋକ୍ତାଙ୍କ ଅଭିଯୋଗ ହେଉଛି, ତାଙ୍କ ଘରେ ପୂର୍ବରୁ ଲାଗିଥିବା ମିଟର ସଠିକ୍ ଭାବେ କାମ କରୁଛି ଏବଂ ବିଦ୍ୟୁତ ବିଲ ମଧ୍ୟ ନିୟମିତ ପୈଠ ହେଉଛି। ଏହା ସତ୍ତ୍ୱେ ବିଦ୍ୟୁତ ବିଭାଗ ଜୋରଜବରଦସ୍ତି ସ୍ମାର୍ଟ ମିଟର ଲଗାଇବାକୁ ଚେଷ୍ଟା କରୁଛି। ସେମାନଙ୍କ କହିବା ଅନୁଯାୟୀ, ଗତ ଦେଢ଼ ବର୍ଷ ଧରି ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପ୍ରଥମେ ବିଦ୍ୟୁତ ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ଼ କରିବା ପରେ ସ୍ମାର୍ଟ ମିଟର ଲଗାଇବାକୁ ଦାବି କରୁଥିଲା। ହେଲେ ବିଭାଗ ସେହି ଦାବିକୁ ଅଣଦେଖା କରି ସିଧାସଳଖ ମିଟର ସ୍ଥାପନ ଆରମ୍ଭ କରିଥିବାରୁ ବିରୋଧ ତୀବ୍ର ହୋଇଛି।
ଅନ୍ୟପକ୍ଷରେ, ଅଧିକ୍ଷଣ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ସେଦିନ ସ୍ମାର୍ଟ ମିଟର ଲଗାଯାଉନଥିଲା। ବରଂ ବାରମ୍ବାର ବିଦ୍ୟୁତ ବିଭ୍ରାଟ ରୋକିବା ପାଇଁ ବିଦ୍ୟୁତ ଖୁଣ୍ଟରେ ଡିସ୍ଟ୍ରିବ୍ୟୁସନ ବକ୍ସ (LTSB) ସ୍ଥାପନ କରାଯାଉଥିଲା।
ଘଟଣା ପରେ ପରିସ୍ଥିତିକୁ ସାମ୍ଭାଳିବା ପାଇଁ ସିଭିଲ କୋର୍ଟ ପରିସର ସଭାଗୃହରେ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି, ଢେଙ୍କାନାଳ ସର୍କଲର ଅଧିକ୍ଷଣ ଯନ୍ତ୍ରୀ ଓ ଜେଇଙ୍କ ଉପସ୍ଥିତିରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ଆଲୋଚନା ମାଧ୍ୟମରେ ସମାଧାନ ବାହାର କରିବାକୁ ପ୍ରୟାସ ଜାରି ରହିଛି।