ଭୁବନେଶ୍ୱର: ଦୁର୍ନୀତି ବିରୋଧୀ ଅଭିଯାନକୁ ଆହୁରି କଡ଼ା କରିଛି ଓଡ଼ିଶା ଭିଜିଲାନ୍ସ। ବୁର୍ଲାସ୍ଥିତ ଭୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭିମସାର)ର ଦୁଇ ଜଣ କର୍ମଚାରୀଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହେବା ପରେ ବୁଧବାର ଗିରଫ କରାଯାଇଛି।
ଗିରଫ ହୋଇଥିବା ଦୁଇ କର୍ମଚାରୀ ହେଲେ ଏଷ୍ଟାବ୍ଲିସମେଣ୍ଟ ଅଫିସର-କମ୍-ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଧନୁର୍ଧର ବିଶ୍ୱାଳ ଏବଂ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟର ଷ୍ଟିୱାର୍ଡ ଅଶ୍ୱିନୀ ମେହେର। ଉଭୟଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ।
ଭିଜିଲାନ୍ସ ତଦନ୍ତରେ ଧନୁର୍ଧର ବିଶ୍ୱାଳଙ୍କ ନାମରେ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ତାଙ୍କର ଦୁଇଟି ଘର, ସେଥିମଧ୍ୟରୁ ଗୋଟିଏ ବହୁତଳ କୋଠା, ୩୨ଟି ପ୍ଲଟ୍, ୧୯.୭୨ ଲକ୍ଷ ଟଙ୍କା ନଗଦ, ୮୩.୦୫ ଗ୍ରାମ ସୁନା, ୩୯ ଲକ୍ଷ ଟଙ୍କାରୁ ଅଧିକ ବ୍ୟାଙ୍କ ଜମା, ଦୁଇଟି ହାଇଭା ଟ୍ରକ୍, ଦୁଇଟି ଟ୍ରାକ୍ଟର ଏବଂ ଗୋଟିଏ ଚାରିଚକିଆ ଗାଡ଼ି ରହିଥିବା ଜଣାପଡ଼ିଛି। ଏହି ସମ୍ପତ୍ତିର ଉତ୍ସ ସେ ସନ୍ତୋଷଜନକ ଭାବେ ଦର୍ଶାଇ ପାରିନଥିଲେ।
ସେହିପରି ଅଶ୍ୱିନୀ ମେହେରଙ୍କ ଘରେ ଚଢ଼ାଉ ବେଳେ ତିନୋଟି ଘର, ସେଥିମଧ୍ୟରୁ ୮,୧୪୫ ବର୍ଗଫୁଟର ଏକ ବହୁତଳ କୋଠା, ଗୋଟିଏ ଷ୍ଟୋର ରୁମ୍, ୧୦ଟି ମୂଲ୍ୟବାନ ପ୍ଲଟ୍ ଏବଂ ୮୩ ଗ୍ରାମ ସୁନା ଜବତ କରାଯାଇଛି। ସେ ମଧ୍ୟ ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବା ଭିଜିଲାନ୍ସ କହିଛି।
ଏହି ଘଟଣାରେ ଅଶ୍ୱିନୀ ମେହେରଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୮/୨୦୨୬ ଏବଂ ଧନୁର୍ଧର ବିଶ୍ୱାଳଙ୍କ ବିରୋଧରେ କେସ୍ ନମ୍ବର ୦୯/୨୦୨୬ ରୁଜୁ କରାଯାଇଛି। ଉଭୟଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ ଅନୁଯାୟୀ ମାମଲା ରୁଜୁ ହୋଇଛି।ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଉଭୟ ମାମଲାରେ ଅଧିକ ତଦନ୍ତ ଜାରି ରହିଛି।