ଓଡ଼ିଶାର ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଏବଂ ଐତିହାସିକ ଡିଜିଟାଲ୍ ବିପ୍ଳବ। ଏଣିକି ସରକାରୀ ସ୍କୁଲର ପିଲାମାନେ କୃତ୍ରିମ ବୁଦ୍ଧିମତ୍ତା (AI) ପରିଚାଳିତ ଭର୍ଚୁଆଲ୍ କ୍ଲାସରୁମ୍ ଏବଂ ଡିଜିଟାଲ୍ ମୂଲ୍ୟାଙ୍କନ ବ୍ୟବସ୍ଥା ମାଧ୍ୟମରେ ପାଠ ପଢ଼ିବେ। ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଥିବା ଛାତ୍ରଛାତ୍ରୀଙ୍କୁ ଉଚ୍ଚକୋଟୀର ଶିକ୍ଷା ପ୍ରଦାନ କରିବା ପାଇଁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା - OSEPA) ପକ୍ଷରୁ ଏହି ବଡ଼ ପ୍ରକଳ୍ପ ହାତକୁ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ୫୨୧ଟି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହି ଭର୍ଚୁଆଲ୍ କ୍ଲାସରୁମ୍ ସ୍ଥାପନ କରାଯିବ। ଏଥିମଧ୍ୟରେ ୩୧୩ଟି ଉଚ୍ଚ ପ୍ରାଥମିକ (୬ରୁ ୮ ଶ୍ରେଣୀ) ଏବଂ ୨୦୮ଟି ମାଧ୍ୟମିକ (୯ମ ଓ ୧୦ମ) ବିଦ୍ୟାଳୟ ଅନ୍ତର୍ଭୁକ୍ତ ରହିଛି।
ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ଆକର୍ଷଣୀୟ ଡିଜିଟାଲ୍ ବିଷୟବସ୍ତୁ ଏବଂ AI ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଖୁବଶୀଘ୍ର ଓ ସହଜରେ କଠିନ ବିଷୟଗୁଡ଼ିକୁ ଶିଖାଇବା। ଏହି ଭର୍ଚୁଆଲ୍ କ୍ଲାସରୁମ୍ଗୁଡ଼ିକୁ ଭୁବନେଶ୍ୱର ଓ କଟକରେ ଥିବା ୪ଟି ମୁଖ୍ୟ ପ୍ରସାରଣ (ବ୍ରୋଡକାଷ୍ଟିଂ) ଷ୍ଟୁଡିଓ ଏବଂ ରାଜ୍ୟର ୪ଟି ଜୋନାଲ୍ ମୁଖ୍ୟାଳୟରେ ଥିବା ୮ଟି ଆଞ୍ଚଳିକ ଷ୍ଟୁଡିଓ ସହିତ ସଂଯୋଗ କରାଯିବ। ଏହି ବ୍ୟବସ୍ଥାରେ ସବୁଠାରୁ ବଡ଼ ସୁବିଧା ହେଉଛି 'ଦ୍ୱିପାକ୍ଷିକ ଯୋଗାଯୋଗ ବ୍ୟବସ୍ଥା', ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ବସି ଷ୍ଟୁଡିଓରେ ଥିବା ଶ୍ରେଷ୍ଠ ଶିକ୍ଷକଙ୍କୁ ସେହି ସମୟରେ ପ୍ରଶ୍ନ ପଚାରି ନିଜର ସନ୍ଦେହ ଦୂର କରିପାରିବେ। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ପାଇଁ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଡିଜିଟାଲ୍ ବିଷୟବସ୍ତୁ ଉପଲବ୍ଧ ହେବ, ଯାହା ରାଜ୍ୟରେ ଥିବା ଶିକ୍ଷକ ସଙ୍କଟର ସମାଧାନ କରିବାରେ ବଡ଼ ସହାୟକ ହେବ।
ଉଲ୍ଲେଖଯୋଗ୍ୟ ଯେ, ଏହି ଭର୍ଚୁଆଲ୍ କ୍ଲାସରୁମ୍ ବ୍ୟବସ୍ଥା ରାଜ୍ୟରେ ପ୍ରଥମଥର ପାଇଁ କୋଭିଡ୍ ପୂର୍ବରୁ ୨୦୧୯ ମସିହାରେ ସୁନ୍ଦରଗଡ଼ ଜିଲ୍ଲାରେ DMF ପାଣ୍ଠି ସହାୟତାରେ ଆରମ୍ଭ ହୋଇଥିଲା। ଭିସାଟ୍ (VSAT) ସାଟେଲାଇଟ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ସେତେବେଳେ ଶିକ୍ଷାଦାନ କରାଯାଉଥିବା ବେଳେ ବର୍ତ୍ତମାନ ଏହି ଜିଲ୍ଲାରେ ମୋଟ୍ ୪୦୨ ଟି ଭର୍ଚୁଆଲ୍ କ୍ଲାସରୁମ୍ ସଫଳତାର ସହ ଚାଲୁଅଛି ଏବଂ ଏବେ ଏହାକୁ ଅଧିକ ଆଧୁନିକ କରି ଆଉ ୫୨୧ଟି ସ୍କୁଲକୁ ସଂପ୍ରସାରିତ କରାଯାଉଛି।