ବାରିପଦାରୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଖବର ସଂଗ୍ରହ କରିବା ସମୟରେ ସାମ୍ବାଦିକଙ୍କ ଉପରକୁ ମାଡ଼ିଗଲା ହାଇଓ୍ବା। ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଏକ କାଠ ବୋଝେଇ ଭ୍ୟାନ ଜାତୀୟ ରାଜପଥରେ ଓଲଟି ପଡ଼ିଥିଲା। ଏହି ଖବର ପାଇ ତିନି ଗଣମାଧ୍ୟମ ପ୍ରତିନିଧି ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେହି ସମୟରେ ଓଭରବ୍ରିଜ୍ ଉପରୁ ଏକ ଡଷ୍ଟ ବୋଝେଇ ହାଇଓ୍ବା ଦ୍ରୁତ ଗତିରେ ମାଡ଼ିଆସି ପ୍ରଥମେ ଓଲଟିଥିବା ଭ୍ୟାନକୁ ଧକ୍କା ଦେଇଥିଲା ଏବଂ ପରେ ଡିଭାଇଡର ଉପରକୁ ଚଢ଼ି ଓଲଟି ପଡ଼ିଥିଲା। ଫଳରେ ସେଠାରେ କାଠ ଗୋଟାଉଥିବା ୨ ଜଣ ଶ୍ରମିକ ହାଇଓ୍ବା ତଳେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାସହ ସେଠାରେ ଉପସ୍ଥିତ ୩ ଜଣ ଭିଡିଓ ଜର୍ଣ୍ଣାଲିଷ୍ଟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।ମୃତକ ଦୁଇ ଶ୍ରମିକ ହେଲେ ଶୁନଗଡିଆର ଏସକେ ଜଲାଉଦ୍ଦିନ ଓ ଗୌଡଡିହାର ମିହିର ମାଇତି। ସେହିପରି ଆହତ ଭିଡିଓ ଜର୍ଣ୍ଣାଲିଷ୍ଟମାନେ ହେଲେ ନ୍ୟୁଜ୍-୭ର ଲଳିତ ବାରିକ, ଅର୍ଗସର ହରେକୃଷ୍ଣ ପାତ୍ର ଏବଂ କଳିଙ୍ଗ ଟିଭିର ରଜତ ପଟ୍ଟନାୟକ। ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ବାରିପଦା ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କର ହାତ ଓ କଲର ବୋନ୍ ଭାଙ୍ଗିଥିବା ବେଳେ ଅନ୍ୟ ଦୁଇଜଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଦୁର୍ଘଟଣା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିବା ବେଳେ ଟାଉନ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ରାସ୍ତାରୁ ଗାଡ଼ି ହଟାଇ ଚଳାଚଳ ସ୍ୱାଭାବିକ କରିଛି।