ରାଜ୍ୟର ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଖବର। ଏଣିକି ସାର୍ଟିଫିକେଟ୍ ଅଫ୍ ରେକଗ୍ନେସନ୍ (COR) ବା ସ୍ୱୀକୃତି ପ୍ରମାଣପତ୍ର ବିନା ଓଡ଼ିଶାରେ କୌଣସି ବି ଘରୋଇ ସ୍କୁଲ ପ୍ରତିଷ୍ଠା ହୋଇପାରିବ ନାହିଁ। ଆରସିଏଫ୍ସିଇ (RCFCE) ଆଇନ ୨୦୦୯ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ନୂତନ ଘରୋଇ ବିଦ୍ୟାଳୟ ଖୋଲିବା ନିର୍ଦ୍ଦେଶାବଳୀକୁ ସଂଶୋଧନ କରାଯିବା ସହ ଚଳିତ ନୂଆ ଶିକ୍ଷାବର୍ଷରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲିବାକୁ ଥିବା ସଂଗଠନଗୁଡ଼ିକ ପାଇଁ ଏହି ନିୟମ ବାଧ୍ୟତାମୂଳକ। ଯଦି କୌଣସି ସଂସ୍ଥା ଏହାର ଉଲ୍ଲଂଘନ କରେ, ତେବେ ସ୍କୁଲରେ ତାଲା ପଡ଼ିବ ବୋଲି ବିଭାଗ ଚେତାବନୀ ଦେଇଛି।
ତଥ୍ୟ ଅନୁଯାୟୀ, ଓଡ଼ିଶାରେ ମାଳମାଳ ଘରୋଇ ବିଦ୍ୟାଳୟ ଖୋଲାଯାଇଥିଲେ ମଧ୍ୟ ସେଥିମଧ୍ୟରୁ ଅଧିକାଂଶଙ୍କ ପାଖରେ ସିଓଆର୍ ନାହିଁ। ରାଜ୍ୟରେ ୭ ହଜାରରୁ ଅଧିକ ଛୋଟବଡ଼ ଘରୋଇ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ମାତ୍ର ୪,୫୧୩ଟି ସ୍କୁଲ ସିଓଆର୍ ପାଇ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ହୋଇଛନ୍ତି। ବାକି ପାଖାପାଖି ୨୫୦୦ ସ୍କୁଲ ବିନା ସ୍ୱୀକୃତିରେ ଚାଲୁଥିବାରୁ ସରକାର ଏହି ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।
ଏଣିକି ଆବେଦନକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ସୋସାଇଟିଜ୍ ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ କିମ୍ବା ଇଣ୍ଡିଆନ୍ ଟ୍ରଷ୍ଟସ୍ ଆକ୍ଟରେ ପଞ୍ଜୀକୃତ ହୋଇଥିବା ଆବଶ୍ୟକ। ଏହା ସହିତ ସ୍କୁଲରେ ସୁରକ୍ଷିତ ପରିବେଶ, ଶ୍ରେଣୀଗୃହ, ପରିମଳ ଶୌଚାଳୟ, ପାନୀୟ ଜଳ, ଖେଳପଡ଼ିଆ, ରାମ୍ପ ଓ ପର୍ଯ୍ୟାପ୍ତ ଜମି ଭଳି ଭିତ୍ତିଭୂମି ଥିବା ସୁନିଶ୍ଚିତ କରିବାକୁ ହେବ। କେବଳ ସେତିକି ନୁହେଁ, ନିୟମ ଅନୁଯାୟୀ କେବଳ ଯୋଗ୍ୟ ଓ ତାଲିମପ୍ରାପ୍ତ ଶିକ୍ଷକମାନଙ୍କୁ ହିଁ ନିୟୋଜିତ କରାଯାଇପାରିବ। ସ୍କୁଲ ଖୋଲିବା ଆବେଦନକୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୁପାରିସ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଅନୁମତି ଦେବେ। ନିୟମ ପାଳନର ତଦାରଖ ପାଇଁ DEO ଓ BEOମାନେ ନିୟମିତ ସ୍କୁଲଗୁଡ଼ିକର ଯାଞ୍ଚ କରିବେ ଏବଂ ଖିଲାପକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।