ପୁରୀ: ଆସନ୍ତା ରଥଯାତ୍ରାକୁ ନେଇ ପୁରୀରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ପୁରୀ ଆସିବାକୁ ଥିବାବେଳେ ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥର ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି।
ଗୃହ ଓ ନଗର ଉନ୍ନୟନ ବିଭାଗର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଦାନଦାତାମାନେ କେବଳ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିପାରିବେ। ଏହି ପଦକ୍ଷେପ ଦ୍ୱାରା ପରିବେଶ ସ୍ୱଚ୍ଛ ରହିବା ସହ ଖାଦ୍ୟଜନିତ ସମସ୍ୟାକୁ ଏଡ଼ାଇବା ଲକ୍ଷ୍ୟ ରହିଛି।
ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ପୁରୀ ଗସ୍ତ କରି ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେ ବିଭିନ୍ନ ସ୍ଥାନ ବୁଲି ଆବଶ୍ୟକ ବ୍ୟବସ୍ଥାର ଯାଞ୍ଚ କରିବା ସହ ଅଧିକାରୀମାନଙ୍କୁ ପ୍ରୟୋଜନୀୟ ନିର୍ଦ୍ଦେଶ ଦେଇଥିଲେ।
ଭକ୍ତମାନଙ୍କ ସୁବିଧା ପାଇଁ ସହରର ବିଭିନ୍ନ ସ୍ଥାନରେ ସୂଚନା ଫଳକ ଲଗାଯିବ। ଏଥିରେ ଅନୁମୋଦିତ ଖାଦ୍ୟ କେନ୍ଦ୍ର, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କେନ୍ଦ୍ର ସମ୍ପର୍କରେ ସୂଚନା ରହିବ।
ଏହାସହ ବର୍ଷା ଋତୁକୁ ଦୃଷ୍ଟିରେ ରଖି ପୁରୀ ସହରର ସମସ୍ତ ଡ୍ରେନ୍ ସଫେଇ ଓ ପଙ୍କ ଉଠା କାମ ଶେଷ ହୋଇଛି। ଜଳ ଜମିବା ଆଶଙ୍କା ଥିବା ୩୦ଟି ସ୍ଥାନ ଚିହ୍ନଟ କରାଯାଇ ସେଠାରେ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ବସାଯାଇଛି। ଏଥିସହ ଯାନବାହନ ପାର୍କିଂ ପାଇଁ ୨୪ଟି ସ୍ୱତନ୍ତ୍ର ପାର୍କିଂ ସ୍ଥାନ ମଧ୍ୟ ପ୍ରସ୍ତୁତ କରାଯାଇଛି। ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉପରେ ପ୍ରଶାସନର ମୁଖ୍ୟ ଗୁରୁତ୍ୱ ରହିଛି।