ବଲାଙ୍ଗିର: ଜିଲ୍ଲାର ପାଟଣାଗଡ଼ ଥାନା ମଲିକମୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକୁ ଘରେ ଆଶ୍ରୟ ଦେଇଥିଲେ ସେହିଁ ତଣ୍ଟି କାଟିଦେଲା । ଝିଅକୁ ବିବାହ ନ ଦେବାରୁ ତାର ସମ୍ପର୍କୀୟକୁ ବାପାକୁ ପିଟିପିଟି ହତ୍ୟା କରିବା ସହ ପରିବାର ଲୋକଙ୍କୁ ପିଟିପିଟି ଲହୁଲୁହାଣ କରିଛି ଜଣେ ଯୁବକ । ମୃତକ ହେଲେ ମଲିକମୁଣ୍ଡା ଗାଁର ବିନୋଦ ସାହୁ । ଅନ୍ୟ ଆହତମାନେ ହେଲେ ସ୍ତ୍ରୀ ହେମଲତା ସାହୁ, ପୁଅ ଓପନ ସାହୁ ଏବଂ ଝିଅ ମୁକ୍ତା ସାହୁ । ଅଭିଯୁକ୍ତ ରାମୁଡ଼ ଗାଁର ସୁରେନ୍ଦ୍ର ସ୍ୱାଇଁ ଫେରାର ହୋଇଯାଇଛି ।
ମିଳିଥିବା ସୂଚନା ଅନୁସାରେ, ରାମୁଡ଼ ଗାଁର ସୁରେନ୍ଦ୍ର ସ୍ୱାଇଁ ଗତ ବର୍ଷ ଯାମବାହାଲ ଗାଁର ମନୋବଧ ସାହୁଙ୍କ ଝିଅକୁ ବିବାହ ପାଇଁ ପ୍ରସ୍ତାବ କରିଥିଲେ । କିନ୍ତୁ ମନୋବଧ ତାଙ୍କ ଝିଅ ସହିତ ସୁରେନ୍ଦ୍ରଙ୍କ ବିବାହ ପାଇଁ ମନା କରିଦେଇଥିଲେ । ଗତକାଲି ହଠାତ ସୁରେନ୍ଦ୍ର ନିଜ ମା ସହ ମଲିକମୁଣ୍ଡା ମନବୋଧଙ୍କ ସଡୁ ବିନୋଦଙ୍କ ଘରକୁ ଆସିଥିଲେ । ପରିବାର ଲୋକେ ଖାଇବା ଦେଇକି ଘରେ ଶୋଇବାକୁ ଆଶ୍ରୟ ଦେଇଥିଲେ । ହଠାତ ଶୋଇଥିବା ବେଳେ ଅଧ ରାତିରେ ସୁରେନ୍ଦ୍ର ଏକ ଠେଙ୍ଗାରେ ବିନୋଦଙ୍କୁ ଆକ୍ରମଣ କରିଥିଲା । ଏହି ସମୟରେ ପରିବାର ଲୋକେ ତାଙ୍କ ବାଧା ଦେବାକୁ ସେ ସେମାନଙ୍କୁ ମଧ୍ୟ ପିଟିଥିଲା । ତେବେ ପରିବାର ଲୋକେ ବିନୋଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣାଗଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ବିନୋଦଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ବିନୋଦଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ ମଧ୍ୟ ଆହତ ହୋଇ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ବିନୋଦ ବିବାହ ନ କରିବାକୁ ସଡ଼ୁ ମନୋବଧଙ୍କୁ ପରାମର୍ଶ ଦେଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି । ଘଟଣା ପରଠାରୁ ସୁରେନ୍ଦ୍ର ଫେରାର ହୋଇଯାଇଛି । ପୋଲିସ ବିନୋଦଙ୍କ ମୃତ ଦେହକୁ ଜବତ କରିଛି । ସୁରେନ୍ଦ୍ରକୁ ଧରିବାକୁ ବିଭିନ୍ନ ଆଡ଼େ ଛାନଭିନ ଆରମ୍ଭ କରିଛି ।