ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନ ଦରଡ଼ା ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଜଣ ଦୁର୍ବୃତ୍ତ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ମୋଟରସାଇକେଲରେ ଆସିଥିବା ଏହି ଦୁଇ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଧମକ ଦେଇ କାଉଣ୍ଟରରେ ଥିବା ଟଙ୍କା ଲୁଟି ଫେରାର ହୋଇଯାଇଥିଲେ।
ସୂଚନା ଅନୁଯାୟୀ, ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ଏକ ବାଇକ୍ରେ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ। ସେମାନେ ସେଠାରେ ଥିବା ଜଣେ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀ ଘଟଣାସ୍ଥଳରୁ ଦୌଡ଼ି ପଳାଇଯାଇଥିଲେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ କାଉଣ୍ଟରରେ ଥିବା ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲେ। ଏହି ଲୁଟ୍ର ସମ୍ପୂର୍ଣ୍ଣ ଦୃଶ୍ୟ ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘଟଣା ପରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍ ଜବତ କରିଛି। ଫୁଟେଜ୍ ଆଧାରରେ ଲୁଟେରାଙ୍କ ପରିଚୟ ଓ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜୋରଦାର କରାଯାଇଛି। ତେବେ ଲୁଟ୍ ହୋଇଥିବା ନଗଦ ଟଙ୍କାର ପରିମାଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।