ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଅବିରତ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାସ୍ତାଘାଟ ଜଳମଗ୍ନ ହୋଇଥିବା ବେଳେ ଅନେକ ତଳିଆ ଅଞ୍ଚଳରେ ପାଣି ପଶିଯାଇଛି। ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ସହ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ସୋହେଲାରେ ସର୍ବାଧିକ ୨୦୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଗଞ୍ଜାମରେ ୧୪୫.୪ ମିଲିମିଟର, ବରପାଲିରେ ୧୪୫ ମିଲିମିଟର, ଛତ୍ରପୁରରେ ୧୩୪ ମିଲିମିଟର, ବିଜେପୁରରେ ୧୨୬ ମିଲିମିଟର, ବଲାଙ୍ଗୀରରେ ୧୨୨ ମିଲିମିଟର, ପୁରୁଷୋତ୍ତମପୁରରେ ୧୧୫.୬ ମିଲିମିଟର, ମହେନ୍ଦ୍ରଗିରିରେ ୧୧୦.୨ ମିଲିମିଟର ଏବଂ ଗୋପାଳପୁରରେ ୧୦୬.୯ ମିଲିମିଟର ବର୍ଷା ହୋଇଛି।
ଏପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଗାମୀ କିଛି ଘଣ୍ଟା ଧରି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରିଛି।
ଭୀଷଣ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହିପରି କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ କେନ୍ଦୁଝର ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାକି ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କୋରାପୁଟ ସମେତ ଅନେକ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। କିଛି ଅଞ୍ଚଳରେ ଘରେ ଡ୍ରେନ୍ ପାଣି ପଶିଥିବା ବେଳେ ରାସ୍ତାରେ ପାଣି ଜମି ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ଅନାବଶ୍ୟକ ଯାତ୍ରା ନ କରିବା ଏବଂ ସୁରକ୍ଷିତ ସ୍ଥାନରେ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି।