ମୟୂରଭଞ୍ଜ ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ୨୨୦ ନମ୍ବର ଜାତୀୟ ରାଜପଥର କାଳିକାପୁର ନିକଟରେ ଏକ ଅଟୋକୁ ଟ୍ରକ୍ ଧକ୍କା ଦେବାରୁ ବାପା ଓ ୮ ବର୍ଷର ପୁଅଙ୍କ ମୃତ୍ୟୁ ଘଟିଥିବାବେଳେ ମା' ଗୁରୁତର ଆହତ ହୋଇଛନ୍ତି। ଅଟୋ ଚାଳକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବଡ଼ଗାଁ ପଞ୍ଚାୟତର ଶରଧା ଗାଁର ଗାନସା କିସ୍କୁ ଏବଂ ତାଙ୍କ ୮ ବର୍ଷର ପୁଅ ରାମରାଜ କିସ୍କୁ।
ସୂଚନା ଅନୁଯାୟୀ, ପରିବାର ଲୋକେ କରଞ୍ଜିଆ ହସ୍ପିଟାଲରେ ପୁଅକୁ ଡାକ୍ତରଙ୍କୁ ଦେଖାଇ ଅଟୋରେ ଘରକୁ ଫେରୁଥିଲେ। ଏହି ସମୟରେ କାଳିକାପୁର ନିକଟରେ ଏକ ଦ୍ରୁତଗତି ଟ୍ରକ୍ ଅଟୋକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣାସ୍ଥଳରେ ବାପା ଓ ପୁଅଙ୍କ ଜୀବନ ଚାଲିଯାଇଥିଲା।
ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ପ୍ରଥମେ କରଞ୍ଜିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛି।