ମୟୁରଭଞ୍ଜ: ପ୍ରାୟ ଦୁଇ ବର୍ଷ ଧରି ରହସ୍ୟ ଘେରରେ ଥିବା ଏକ ଅନ୍ଧ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ସିଆଇଡି କ୍ରାଇମବ୍ରାଞ୍ଚ। ବୈଜ୍ଞାନିକ ତଦନ୍ତ ଓ ଡିଏନଏ ପରୀକ୍ଷା ମାଧ୍ୟମରେ ମୃତକଙ୍କ ପରିଚୟ ଜଣାପଡ଼ିବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
୨୦୨୩ ନଭେମ୍ବରରେ ଉଦଳା ଅଞ୍ଚଳର ଏକ କାଜୁ ଜଙ୍ଗଲ ଭିତରେ ଥିବା ପରିତ୍ୟକ୍ତ କୂଅରୁ ଏକ ବସ୍ତା ଭିତରୁ ପଚାସଢ଼ା ମୃତଦେହ ଉଦ୍ଧାର ହୋଇଥିଲା। ଦୀର୍ଘ ସମୟ ଧରି ପାଣିରେ ପଡ଼ି ରହିଥିବାରୁ ମୃତଦେହର ପରିଚୟ ଜାଣିବା ସମ୍ଭବ ହୋଇନଥିଲା। ପରେ ଏହି ଘଟଣାର ତଦନ୍ତ ଭାର ନେଇଥିଲା ସିଆଇଡି କ୍ରାଇମବ୍ରାଞ୍ଚ।
ତଦନ୍ତକାରୀ ଦଳ ନିଖୋଜ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରି ଦୁଇଜଣଙ୍କ ପରିବାରରୁ ରକ୍ତ ନମୁନା ସଂଗ୍ରହ କରିଥିଲେ। ଡିଏନଏ ପରୀକ୍ଷା ପରେ ମୃତକ ଉଦଳା ଥାନା ଅଧୀନ ସୁଖୁଆ ସାହିର ଯୁବରାଜ ସିଂହ ବୋଲି ସ୍ପଷ୍ଟ ହୋଇଥିଲା। ତାଙ୍କ ପୁଅ ବିଶ୍ୱନାଥ ସିଂହଙ୍କ ଡିଏନଏ ସହ ଏହା ମେଳ ଖାଇଥିଲା।
ତଦନ୍ତରୁ ଜଣାପଡ଼ିଛି, ବାନାସାହି ଗାଁର କିଛି ଲୋକ ଯୁବରାଜ ସିଂହଙ୍କୁ ଝଡ଼ାଫୁଙ୍କା କରିବା ପାଇଁ ଡାକିଥିଲେ। ସେଠାରେ ଭୋଜି ଖାଇବା ପରେ ସେ ଆଉ ଘରକୁ ଫେରିନଥିଲେ। ଅଭିଯୁକ୍ତମାନେ ତାଙ୍କୁ ହତ୍ୟା କରି ମୃତଦେହକୁ ଏକ ବସ୍ତାରେ ଭରି କୂଅରେ ଫିଙ୍ଗି ଦେଇଥିଲେ।
ପୋଲିସ କହିଛି, ଅଭିଯୁକ୍ତମାନେ ଯୁବରାଜ ସିଂହଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରୁଥିଲେ। ସେମାନଙ୍କ ବିଶ୍ୱାସ ଥିଲା ଯେ, ତାଙ୍କ ଯୋଗୁଁ ଜଣେ ଶିଶୁର ମୃତ୍ୟୁ ଘଟିଛି। ଏହି ଅନ୍ଧବିଶ୍ୱାସରୁ ସେମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ। ଘଟଣାରେ ସଂଗୌରମୋହନ ସିଂହ ଓ ତାଙ୍କ ଭାଇ ନରହରି ସିଂହଙ୍କୁ ଗିରଫ କରାଯାଇଥିବାବେଳେ ଜଣେ ନାବାଳକଙ୍କୁ ମଧ୍ୟ ଏହି ମାମଲାରେ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି।